ଜ୍ଞାନଞ୍ଜନ ଶଳାକା

 

 

 

 

 

 

 

 

 

 

ଜ୍ଞାନାଞ୍ଜନ ଶଳାକା

ଶ୍ରୀ ବାଳକୃଷ୍ଣ ଦାସ

 

ପାଠକ ମହାଶୟ !

 

ଏହି କଟକ ନଗରରେ ଉତ୍କଳ ସମ୍ମିଳନୀର ଗତ ପ୍ରଥମ ଅଧିବେଶନ ସମୟରେ ଉତ୍କଳୀୟ ନେଲ୍‍ସନାଭିମାନଙ୍କର “ପ୍ରାର୍ଥନା’’ ନାମରେ ଖଣ୍ଡିଏ କ୍ଷୁଦ୍ର ବେନାମୀ ପୁସ୍ତିକା ପୁରୀ ଜଗନ୍ନାଥ ପ୍ରେସରେ ମୁଦ୍ରିତ ହୋଇ ଗୁପଚୁପ ବିତରିତ ହୋଇଥିଲା ତାହା ବୋଧହୁଏ ଆପଣ ପାଠ କରିଥିବେ । ଗତ ଡିସେମ୍ବର ମାସ ତା ୧୨ ରିଖରେ ଇଣ୍ଡିଆଗେଜେଟରେ ଭାରତ ଗଭର୍ଣ୍ଣମେଣ୍ଟ୍ ଦେଶ ମିଶ୍ରଣ ବିଷୟକ ପ୍ରସ୍ତାବରେ ଗଞ୍ଜାମ, ସମ୍ବଲପୁର ଓ ଛୋଟନାଗପୁରର କିୟଦଂଶ ଓଡ଼ିଶା ସଙ୍ଗେ ମିଶାଇ ବଙ୍ଗଳାହତା ମଧ୍ୟରେ ପୂର୍ବ ପ୍ରାୟ ରଖିବାର ମନସ୍ଥ କରି ତତ୍‍ପକ୍ଷେ ସ୍ଥାନୀୟ ଗଭର୍ଣ୍ଣମେଣ୍ଟଙ୍କର ଯେ ମତ ଚାହିଁଅଛନ୍ତି ତଦ୍‍ବିଷୟରେ ଯହିଁରେ ମିଶ୍ରିତ ଓଡ଼ିଶା ବଙ୍ଗଳାହତାରୁ ଖାରଜ ହୋଇ ମଧ୍ୟପ୍ରଦେଶ ସଙ୍ଗେ ମିଶିପାରେ ତହିଁ ପକ୍ଷେ ଚେଷ୍ଟା କରିବା ପାଇଁ ଲୋକଙ୍କୁ ଫୁସଲାଇ ମତାଇବା ପୁସ୍ତିକାର ଉଦ୍ଦେଶ୍ୟ ଅଟେ । ଏଥକୁ ପୁସ୍ତିକା ଖଣ୍ଡିକ ପାଠ କରି ଗୋଟିଏ ଗଳ୍ପ ମନେ ପଡ଼ିଲା, ତେଣୁ ଅଗ୍ରେ ସେ ଗଳ୍ପଟି କହି ପଛେ ପୁସ୍ତିକା ଲେଖକଙ୍କର ଯୁକ୍ତି ପକ୍ଷେ ମତାମତ ପ୍ରକାଶ କରାଯିବ ।

 

ଗଳ୍ପଟି ଏହି–ଏକ ସମୟରେ ଦିନେ ଶୀତକାଳରେ ଅତି ପ୍ରତ୍ୟୁଷରେ ହର ପାର୍ବତୀ ଆକାଶ ମାର୍ଗରେ ଭ୍ରମଣ କରୁ କରୁ ଦେଖିଲେ ଏକ ବୃକ୍ଷ ତଳେ ଜଣେ ବଡ଼ ଦରିଦ୍ର ଲୋକ ଶୀତରେ ଥର ଥର ହୋଇ “ଶିବ ଦୁର୍ଗା ଶିବଦୁର୍ଗା’’ ବୋଲି ଉଚ୍ଚଃସ୍ଵରେ ଡାକ ଛାଡ଼ୁଅଛି । ତାହାର ଘୋଡ଼ିହେବାକୁ କିଛି ନାହିଁ, ଯେଉଁ କନା ଖଣ୍ଡକ ପିନ୍ଧିଅଛି ତହିଁରେ ସହସ୍ର ଗ୍ରନ୍ଥି, ତାହାର ଖଙ୍କାଳିଆ ପେଟ ଓ କଙ୍କାଳମୟ ଶରୀରରୁ ଅନୁମାନ ହୁଏ ଦୁଇ ତିନି ଦିନରୁ କିଛି ଉଦରସ୍ଥ ହୋଇନାହିଁ, ଫଳତଃ ଲୋକଟି ଯେ ନିତାନ୍ତ ଗରିବ ଏଥିରେ ସନ୍ଦେହ ନାହିଁ । ଏହା ଦେଖି ପାର୍ବତୀଙ୍କର ମନରେ ବଡ଼ ଦୁଃଖ ଓ ଦୟା ହେଲା । ସେ ମହାଦେବଙ୍କୁ କହିଲେ ‘ପ୍ରଭୋ ! ଲୋକେ ଆପଣଙ୍କୁ ଯେ ‘‘ଭୋଳାନାଥ” କହନ୍ତି ତାହା ଯଥାର୍ଥ, ଏ ଲୋକଟି ଏଡ଼େ କଷ୍ଟରେ ସୁଦ୍ଧା ଆପଣଙ୍କୁ ପାସୋରି ନାହିଁ ଅଥଚ ଆପଣ ଏ ଦୀନହୀନକୁ ପାସୋରି ପକାଇଅଛନ୍ତି, ଏ ବଡ଼ ଆଶ୍ଚର୍ଯ୍ୟ ! ଏହାର ଦୁରବସ୍ଥା ପ୍ରତି ଆପଣଙ୍କର ଟିକିଏ ଅନୁଗ୍ରହ ହେଉନାହିଁ ? ମହାଦେବ କହିଲେ “ପ୍ରିୟେ ! ମୁଁ କି କରିବି ଏହାର କପାଳରେ ତ ଧନ ଭୋଗ କରିବାର ଲେଖା ନାହିଁ, ମୁଁ ଧନ ଦେଲେ ସେ କାହୁଁ ଭୋଗ କରିପାରିବ-?’’ ଏହା ଶୁଣି ପାର୍ବତୀ କହିଲେ “ନାଥ ! ମୁଁ ଆପଣଙ୍କର ଚରଣ ଧରି ପ୍ରାର୍ଥନା କରୁଅଛି ଆପଣ ଅନୁଗ୍ରହପୂର୍ବକ ତାକୁ କିଛି ଧନ ଦିଅନ୍ତୁ, ଦେଖାଯାଉ ସେ ତାହା ଭୋଗ କରିପାରୁଛି କି ନା’’ । ତହୁଁ ମହାଦେବଙ୍କର ଆଦେଶମତେ ନନ୍ଦୀ ଭକ୍ତ ଦରିଦ୍ରର ନିକଟସ୍ଥ ପଥ ଉପରେ ତୋଡ଼ାଏ ମୋହର ଥୋଇଦେଇ ଆସିଲେ, ହରପାର୍ବତୀ ଅଲକ୍ଷିତରେ ଆକାଶରେ ଥାଇଁ କୌତୁକ ଦେଖିବାକୁ ଲାଗିଲେ । ଖରା ପଡ଼ିଗଲାରୁ ଦରିଦ୍ର ବୃକ୍ଷ ମୂଳରୁ ଉଠି ଗ୍ରାମ ଆଡ଼କୁ ଭିକ୍ଷା କରିବାକୁ ବାହାରିଲା । ଯାଉ ଯାଉ ମନେ ମନେ ବିଚାର କଲା “ପ୍ରତିଦିନ ଭିକ ମାଗି ଯାଏଁ, କେବେ କିଛି ମିଳେ କେବେ ନାହିଁ, ଆଜି ଅନ୍ଧପରି ଆଖି ବୁଜି ଭିକମାଗି ବୁଲିବି ତାହାହେଲେ ଲୋକେ ଦୟାକରି ଅଧିକ ଭିକ୍ଷା ଦେବେ’’। ଏହି ତା ମନେ କରି ଦୁଇ ଚକ୍ଷୁ ବୁଜି ଅନ୍ଧପରି ଚାଲିବାକୁ ଲାଗିଲା, ଯାଉଁ ଯାଉଁ ପଥରେ ସୁବର୍ଣ୍ଣ ମୁଦ୍ରା ଥଳିକି ଡେଇଁ ଚାଲିଗଲା ।

 

ପୁସ୍ତିକା ପଢ଼ି ମନରେ ଭୟ ହେଉଅଛି ଆମ୍ଭମାନଙ୍କର କପାଳରେ କୁତ୍ରିମ ଅନ୍ଧ ଦରିଦ୍ର ବ୍ୟକ୍ତିର ଦଶା ନ ଘଟେ । ତେଣେ ଢାକା, ପ୍ରଭୃତି ବଙ୍ଗଳାହତାରୁ ବାହାରିଯିବା ବିରୁଦ୍ଧରେ ତୁମୂଳ ଆନ୍ଦୋଳନ ଲାଗିଅଛି, ଏ ସମୟରେ ଏଣୁ ଉଖୁରା ଉଖୁରି ହେଲେ ଯେବେ ଗଭର୍ଣ୍ଣମେଣ୍ଟ୍ କହନ୍ତି କି “ନୂତନ ପ୍ରସ୍ତାବରେ ଯେବେ ସମସ୍ତଙ୍କର ଆପତ୍ତି ତେବେ ପୂର୍ବେ ଯେପରି ଥିଲା ସେହିପରି ଥାଉ’’ । ତାହାହେଲେ ବାସ୍‍ । ଆମ୍ଭମାନଙ୍କର ବିକଳାଙ୍ଗ ଉତ୍କଳଦେଶ ଏକଠୁଳ ହେବାର ଚିରପୋଷିତ ଆଶା ଯାହାକି ଏତେ କାଳେ ଫଳବତୀ ହେବାକୁ ବସିଅଛି ତାକୁ ଚିରକାଳପାଇଁ ଜଳାଞ୍ଜଳି ଦେବାକୁ ହେବ-। ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ଲେଖକ ଯେବେ ନନ୍ଦନକାନନର ସୁଖ ଭୋଗ କରିବାର ଆଶା ମରୀଚିକା ଦେଖିଥାନ୍ତି ତେବେ ତାଙ୍କୁ ସବିନୟ ପ୍ରାର୍ଥନା ଯେ ଟିକିଏ ସମ୍ଭାଳି ଯାଆନ୍ତୁ, ଅନେକଗୁଡ଼ାଏ ସୁଖ ଏକାବେଳକେ ଗିଳି ପକାଇଲେ ଅଜୀର୍ଣ୍ଣ ହୋଇ ପ୍ରାଣ ସଂଶୟ ହେବ । ଶାସ୍ତ୍ରରେ ଅଛି “ଅତିଭୋଜନଂ ରୋଗମୂଳଂ ଆୟୁଃକ୍ଷୟକରଂ, ତସ୍ମାତ ଅତି ଭୋଜନଂ ପରିହରେତ୍‍’’-

 

ଲେଖକଙ୍କର ପ୍ରାର୍ଥନାର ଯୌକ୍ତିକତା ଆଲୋଚନା କରିବା ପୂର୍ବରୁ ଦେଖାଯାଉ ବଙ୍ଗଳାକୁ ଛାଡ଼ି ମଧ୍ୟପ୍ରଦେଶରେ ଗୁଞ୍ଜି ହେବାରେ ତାଙ୍କର ଉଦ୍ଦେଶ୍ୟ କଅଣ । ପୁସ୍ତିକାରେ ପ୍ରକାଶ ଭାବରେ ଲେଖା ନ ଥିଲେ ସୁଦ୍ଧା ଲେଖାର ଭଙ୍ଗୀରୁ ସ୍ପଷ୍ଟ ଜଣା ପଡ଼ୁଅଛି ଯେ ବଙ୍ଗଳାରେ ଜ୍ଞାନୀ, ଧନୀ ଓ କାର୍ଯ୍ୟଦକ୍ଷ ପ୍ରଭୃତି ଲୋକଙ୍କ ସଂଖ୍ୟା ଅନେକ, ସୁତରାଂ ସେମାନଙ୍କ ସଙ୍ଗେ ପ୍ରତିଯୋଗିତାରେ ଦରିଦ୍ର ଅଜ୍ଞ ଓ ଅଳସୁଆ ଓଡ଼ିଆ ପୁଏ ପାରି ଉଠୁ ନାହାନ୍ତି, ତେଣୁ ମଧ୍ୟପ୍ରଦେଶବାସୀ, ଯେଉଁମାନେ କି ଲେଖକଙ୍କ ବିଚାରରେ, ଛିଣ୍ଡା, ଅର୍ଚ୍ଛିତ [ଅର୍ଖିତ], ଗଜମୂର୍ଖ ଓ କୋଢ଼ିଆ ଅଟନ୍ତି, ତାଙ୍କ ସଙ୍ଗେ ମିଶିଲେ ଉତ୍କଳୀୟମାନେ ଅଚିରେ ତାଙ୍କ ମୁଣ୍ଡରେ ଚଢ଼ିବେ । ଛି ! ଛି ! ଏପରି ବାଞ୍ଛା ବଡ଼ ଅସାଧୁ ବାଞ୍ଛା ସୁତରାଂ ଜଗଦୀଶ୍ଵରଙ୍କର ନ୍ୟାୟ ରାଜ୍ୟରେ କଦାପି ସଫଳ ହେବାର ସମ୍ଭାବନା ନାହିଁ । ସେଦିନ ସମ୍ମିଳନୀରେ ପାଦ୍ରି ୟଙ୍ଗ୍‍ସାହେବ ଯେ କହିଥିଲେ ତୁମ୍ଭେମାନେ “honest rivalry, (ସତ୍‍ ପ୍ରତିଯୋଗିତା) କର’’ ତାହାର ଫଳ କି ଏହି ? ପାଞ୍ଚଫୁଟ ଛ’ ଇଞ୍ଚ ଲେଖାଏଁ ଉଚ୍ଚ ଦଶଜଣଙ୍କ ମଧ୍ୟରେ ଥାଇଁ ଆପଣାର ଟେକ ରଖିବା ମାନସରେ ଯେବେ ତୁମେ ସଙ୍ଗୀ ନଅଜଣଙ୍କର ମୁଣ୍ଡ କାଟି ପକାଅ, ତେବେ ତାକୁ ସତ୍‍ ପ୍ରତିଯୋଗିତା ବୋଲାଯିବ କି ? ତୁମ୍ଭେ ଯେବେ ପାଞ୍ଚ ଫୁଟ ଦଶ ଇଞ୍ଚ ହୋଇପାର ତାହାହେଲେ ତୁମ୍ଭର ସଙ୍ଗୀମାନଙ୍କ ଉପରେ ତୁମ୍ଭର ଟେକ ରହିବ, ମଧ୍ୟ ସେପରି ଉନ୍ନତ ହେବାକୁ ଇଚ୍ଛା କରିବାରେ ତୁମ୍ଭର ପ୍ରଶଂସା ଭିନ୍ନ ନିନ୍ଦା ହେବ ନାହିଁ । ଆହୁରି ମନେକର ଏକପାଖରେ ନିକୃଷ୍ଟ ଓ ଅନ୍ୟପାଖରେ ଉତ୍କୃଷ୍ଟ ଲୋକ ତୁମ୍ଭ ମଧ୍ୟରେ ବର୍ତ୍ତମାନ, ତୁମେ କାହାକୁ ଆଦର୍ଶ କରି ଅନୁକରଣ କରିବ ? ଯେ ତୁମ୍ଭର ଆଦର୍ଶ ତାହା ନିକଟରୁ ଅନ୍ତର ହେବା ଉଚିତ କି ? ଆହୁରି ଗୋଟିଏ କଥା ମାନିଲୁଁ ତୁମ୍ଭେ ମଧ୍ୟପ୍ରଦେଶବାସୀଙ୍କର ମସ୍ତକ ମଣି ହୋଇ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟ, ଓକିଲାତି (ଆଉ ତୁମ୍ଭେ କାହିଁକି ଯୋଗ୍ୟ ଦେଖାଯାଉ ନାହଁ) ପ୍ରଭୃତି ତାଙ୍କଠାରୁ ଛଡ଼ାଇ ନେଇ ତାଙ୍କ ଅନ୍ନରେ ଧୂଳିଦେଲ, ଭଲା ଗଞ୍ଜାମର ଓଡ଼ିଆ ଭାଇମାନେ ଯେ ତୁମ୍ଭ ସଙ୍ଗେ ମିଶିବେ, ସେମାନେ କଅଣ କରିବେ ? ସେମାନେ ତୁମ୍ଭର ଗୋଡ଼ ଘଷିବେ କି ? ଆଉ ସମ୍ବଲପୁରବାସୀ ? “ତୁମି ଯେ ତିମିରେ ତୁମି ସେ ତିମିରେ’’ ହେବେ ନା ? ଭାଇ ପ୍ରାର୍ଥନାକାରୀ ! ତୁମ୍ଭେ ମଧ୍ୟପ୍ରଦେଶବାସୀଙ୍କୁ ଯେପରି ବନ୍ୟପଶୁ ପ୍ରାୟ ମନେ କରିଅଛ ସେମାନେ ପ୍ରକୃତରେ ସେପରି ଅକର୍ମଣ୍ୟ ନୁହନ୍ତି, ସେମାନେ ଅଧିକାଂଶ ମହାରାଷ୍ଟ୍ର-ବଂଶୋଭୂତ କର୍ମବୀର, ତାଙ୍କ ନିକଟରେ ଧପାଧପ ଚଳିବ ନାହିଁ, ପୁଣି ଆମ୍ଭେମାନେ ଏପରି ଅସାଧୁ ସ୍ଵାର୍ଥପର ବାଞ୍ଛା ମନରେ ରଖି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ ନିଶ୍ଚୟ ଚାପୁଡ଼ା ଖାଇ ଆସିବା । ପରନ୍ତୁ ଶତାଧିକ ବର୍ଷ ବଙ୍ଗଳା ସଙ୍ଗେ ରହି ଆମ୍ଭମାନଙ୍କର ଯେ ଅନେକ ଉନ୍ନତି ହୋଇଅଛି ଓ ମଧ୍ୟ ଭବିଷ୍ୟତକୁ (ଅବଶ୍ୟ କ୍ରମେ କ୍ରମେ) ହେବ ଏଥିରେ ଦ୍ଵିରୁକ୍ତି ନାହିଁ; ଏପରି ସ୍ଥଳେ ନିଶ୍ଚିତ ବିଷୟକୁ ଛାଡ଼ି ଅକୃତଜ୍ଞ ହୋଇ ଅନିଶ୍ଚିତ ଆଶା ମରୀଚିକା ପଛରେ ଗୋଡ଼ାଇବା ବାତୁଳତା ଭିନ୍ନ କି ବୋଲାଯାଇପାରେ ? ଲେଖକ ! ଏତେବେଳେ ବିଚିତ୍ରାନନ୍ଦ ନାହାନ୍ତି ନୋହିଲେ ତୁମ୍ଭପାଇଁକି ମଧ୍ୟମ ନାରାୟଣ ତୈଳର ବ୍ୟବସ୍ଥା ହୋଇଥାନ୍ତା ।

 

ଲେଖକ ପୁସ୍ତିକାର ୩ୟ ପୃଷ୍ଠାରେ ଲେଖିଛନ୍ତି “ପକ୍ଷାନ୍ତରେ ସ୍ଥିର ଧୀର ଚିତ୍ତରେ ବିବେଚନା ନ କରି ସ୍ଵାର୍ଥର ବଶବର୍ତ୍ତୀ ହୋଇ କିମ୍ବା ଆତ୍ମପ୍ରତିଷ୍ଠା ଲାଳାୟିତ ହୋଇ ଅଥବା ବ୍ୟକ୍ତି ବିଶେଷର ଅନୁରୋଧ ଉପରୋଧ ପାର ହୋଇ ଯେଉଁମାନେ ଏ ଘଟଣାରେ କୌଣସି ଏକମତ ସମର୍ଥନ କରିବେ, ସେମାନେ କେବଳ ଆତ୍ମଘାତୀ ନୁହନ୍ତି ଅଥଚ ଦେଶଦ୍ରୋହୀ, ସମାଜଦ୍ରୋହୀ ଏବଂ ଭାବି ବଂଶଧରମାନଙ୍କର ସକଳ ଅମଙ୍ଗଳର ନିଦାନ ଅଟନ୍ତି ।’’ କଥାରେ କହନ୍ତି “ଗୋଦଡ଼ି ଲୋ ! ଗୋଡ଼ ତଳକୁ ଅନା’’ ‘‘physician cure thyself’’ ଲେଖକ ମହୋଦୟ ! ଟିକିଏ ଜ୍ଞାନାଞ୍ଜନ ଶଳାକା ଦ୍ଵାରା ଚକ୍ଷୁ ଉନ୍ମିଳନ କରି ଥରେ ଉପରକୁ ଚାହିଁ ଆପଣା ହୃଦୟ ଭିତରେ ଅନ୍ତର୍ଦୃଷ୍ଟି କରନ୍ତୁ ତ ? କେଉଁ ଚାକେରି, ଓକିଲାତି ପ୍ରଭୃତି ପରର ଅନ୍ନରେ ଧୂଳିଦେବା ଓ ଆକାଶକୁସୁମ ବତ୍‍ ବଡ଼ ଖେତାବ ଅଭିଳାଷ ତହିଁରେ ବଳବାନ୍‍ ହୋଇ ରକ୍ତକୁ ଆପଣଙ୍କର ମସ୍ତକକୁ ପ୍ରେରଣ କରିଅଛି ? ଏ ଜାଡ଼ ଦିନରେ ଏଠାରେ ବରଫର ଅଭାବ ସୁତରାଂ ପଚରା ପୋଖରୀରୁ ହାଣ୍ଡିଏ ପଙ୍କ ଆଣି ଶୀଘ୍ର ଆପଣଙ୍କ ମୁଣ୍ଡରେ ନ ଥୋଇଲେ ରକ୍ତାଧିକ୍ୟ ଯୋଗୁଁ ଆପଣଙ୍କର ମସ୍ତକର ଧମନୀ ବିଦୀର୍ଣ୍ଣ ହେବାର ସମ୍ଭାବନା । ଆଚ୍ଛା କହ ତ କେଉଁ ସାଧୁମାନସରେ ତୁମ୍ଭେ ବଙ୍ଗଳାର ସୁଶାସନ ଛାଡ଼ି ବେଆଇନୀ (non-regulation) ମଧ୍ୟପ୍ରଦେଶରେ ଗୁଞ୍ଜିହେବାକୁ ଲୋକଙ୍କୁ ଫୁସଲାଉଅଛ ? ତୁମ୍ଭର ସଂଖ୍ୟା କେତେ ? ରାମାଭାଇ, ମଦନାଭାଇ ଆଉ ମୁଁ ଏହି ନା-? ଗଞ୍ଜାମୀ ଭାଇ ! ସମ୍ବଲପୁରିଆ ଭାଇମାନେ ! ସାବଧାନ ! ମହରଗରୁ ଯାଇ କାନ୍ତାରେ ନ ପଡ଼ !!! ଗତ ସମ୍ମିଳନୀ ସମୟରେ କଟକକୁ ଆସି କଟକିଆମାନଙ୍କର ଅବସ୍ଥା ତୁମ୍ଭମାନଙ୍କ ଅପେକ୍ଷା ଭଲ ବୋଲି ଯେବେ ମନେ କରିଥାଅ ତେବେ ଏ ଫୁସଲାଫୁସଲିରେ ଭୁଲିବ ନାହିଁଟି !

 

ଏବେ ଲେଖକଙ୍କର ଯୁକ୍ତିଗୁଡ଼ିକର କିଞ୍ଚିତ୍‍ ସମାଲୋଚନା କରାଯାଉ ।

 

ସମସ୍ତ ଓଡ଼ିଆଭାଷୀଙ୍କୁ ଏକ ଶାସନାଧୀନରେ ରଖାଯିବାପାଇଁ ଗଭର୍ଣ୍ଣମେଣ୍ଟ୍‍ଙ୍କୁ ଯେ ଆବେଦନପତ୍ରମାନ ପଠାଯାଇଥିଲା ସେମାନଙ୍କ ମଧ୍ୟରେ କୌଣସି ଆବେଦନ ପତ୍ରରେ ମିଶ୍ରିତ ଓଡ଼ିଶାକୁ ବଙ୍ଗଳା ଶାସନାଧୀନରେ ରଖାଯିବା କାହିଁରେ ବଙ୍ଗଳା କିମ୍ବା ଅନ୍ୟ ପ୍ରଦେଶର ଶାସନାଧୀନ କରାଯିବାର ଯେ ଉଲ୍ଲେଖ ହୋଇଥିଲା ତହିଁର କାରଣ ଲେଖକ କହନ୍ତି କି ‘‘ସେତେବେଳେ କୌଣସି କ୍ରମେ ଏକତ୍ରିତ ହେବା ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । ସେମାନେ ଏକଜାତି ଏବଂ ଏକ ଭାଷୀ, ଛିନ୍ନ ବିଛିନ୍ନ ହୋଇ ବିକ୍ଷିପ୍ତ ଭାବରେ ଏଣେ ତେଣେ ପଡ଼ିଥିବାରୁ ବ୍ୟାକୁଳ ଚିତ୍ତରେ ଅନ୍ୟ କୌଣସି ପ୍ରକାର ବିଚାର ନ କରି ଏକତ୍ର ମିଳିତ ହେବା ସକାଶେ ବଡ଼ଲାଟଙ୍କ ଶ୍ରୀଛାମୁରେ ଗୁହାରୀ କରିଥିଲେ ।’’ ଏ ଯୁକ୍ତି ବଡ଼ ବିଚିତ୍ର ସନ୍ଦେହ ନାହିଁ । ଆବେଦନକାରୀମାନେ ଏଡ଼େ ବ୍ୟାକୁଳଚିତ୍ତ ହୋଇପଡ଼ିଥିଲେ ଯେ ସେମାନଙ୍କର ଆବେଦନପତ୍ରରେ ‘‘କେଉଁ ଶାସନାଧୀନରେ ରହିବେ’’ ଏଡ଼େ ବଡ଼ ପ୍ରୟୋଜନୀୟ କଥାଟାର ସ୍ପଷ୍ଟ ଉଲ୍ଲେଖ କରିବାକୁ ସୁଦ୍ଧା ଛାଡ଼ି ଗଲେ । ଏ କଥା ଯେବେ ଠିକ୍‍ ହୁଏ ତେବେ ଏଥିରୁ ସିଦ୍ଧାନ୍ତ ହେଉଅଛି ଯେ ଉକ୍ତ ଆବେଦନପତ୍ରମାନ ସୁବିଚାର ପୂର୍ବକ ଲେଖାଯାଇ ନ ଥିଲା, ଜଣକେତେ ଅପରିଣାମଦର୍ଶୀ ନିତାନ୍ତ ତରତରିଆ ଭାବରେ ଯେନ ତେନ ପ୍ରକାରେଣ କରି ଖଣ୍ଡେ ଦରଖାସ୍ତ ଲେଖି ଗୁଞ୍ଜି ଦେଇଥିଲେ । ଯେବେ ଏପରି ହୋଇଥାଏ ତେବେ ସେ ଆବେଦନପତ୍ରମାନଙ୍କର ମୂଲ୍ୟ କେତେ ? ଏ କି ପିଲା ଖେଳ ? ଫଳତଃ ଆବେଦନକାରୀମାନେ କେବଳ ଦେଶ ମିଶ୍ରଣର ଅତ୍ୟନ୍ତ ଆବଶ୍ୟକତା ଉପଲବ୍ଧି କରି ତାହା ସେମାନଙ୍କର ଆବେଦନପତ୍ରମାନଙ୍କରେ ପ୍ରାର୍ଥନା କରିଥିଲେ, ଶାସନ ପରିବର୍ତ୍ତନର କୌଣସି ପ୍ରୟୋଜନ ଦେଖି ନାହାନ୍ତି । ପ୍ରକୃତରେ ମଧ୍ୟପ୍ରଦେଶ ଅପେକ୍ଷା ବଙ୍ଗଳାର ଶାସନ ପ୍ରଣାଳୀ ଯେ ଉତ୍କୃଷ୍ଟ ଓ ସୁବିଧାଜନକ ତାହା ସମସ୍ତେ ଜାଣନ୍ତି, ଭାଗ୍ୟକୁ ଏହା ମିଳେ, ବୋଧ କରୁଁ ସ୍ୱୟଂ ଲେଖକ ମଧ୍ୟ ଏ ପ୍ରଣାଳୀର ଦୋଷ ଦେଖାଇ ଦେଇପାରିବେ ନାହିଁ ଓ ତାଙ୍କର ଲେଖାରେ ମଧ୍ୟ ଏମନ୍ତ କରିବାକୁ ସେ ସାହସୀ ହୋଇପାରି ନାହାନ୍ତି । ଅର୍ଥାତ୍ ‘‘ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ଆମ୍ଭେମାନେ ସ୍ୱର୍ଗଲାଭ କରିବୁଁ’’ କେବଳ ଏହି କଥା କହି ସେ ସମସ୍ତଙ୍କୁ ଫୁସଲାଇବାର ଚେଷ୍ଟା କରିଅଛନ୍ତି, କିନ୍ତୁ ‘‘ବଙ୍ଗଳା ନରକ ଅତଏବ ପରିତ୍ୟାଜ୍ୟ’’ ଏପରି କହିବାକୁ ତାଙ୍କର ସାହସ ହୋଇନାହିଁ । ବଙ୍ଗଳା ଯେବେ ମନ୍ଦ ନୁହେଁ ତେବେ ତାକୁ ଛାଡ଼ି ଭବିଷ୍ୟତ ଅନିଶ୍ଚିତ ସୁଖର ଆଶାମରୀଚିକାର ବଶବର୍ତ୍ତୀ ହୋଇ ମଧ୍ୟପ୍ରଦେଶ ସଙ୍ଗେ ମିଶିବାକୁ ଇଚ୍ଛା କରିବା ଉଚିତ କି ନା ତାହା ପାଠକ ଭାଳି ଦେଖିବେ । ଆଉ ଯେ ଅସନ୍ତୁଷ୍ଟ ତାହାର ସୁଖ କୌଣସିଠାରେ ନାହିଁ ଏହା ନିଶ୍ଚୟ ।

 

ଏଥି ଉତ୍ତାରୁ ଲେଖକ କହନ୍ତି କି ‘‘ଶାସନ ସମ୍ବନ୍ଧେ ଓଡ଼ିଆଙ୍କର ଭାଗ୍ୟ ଚତୁର୍ବିଧ । ପ୍ରଥମ ଚିଫ୍‍ କମିଶନର ଲାଭ କରି ସ୍ୱତନ୍ତ୍ର ଶାସନାଧୀନରେ ରହିବା; ଅବଶିଷ୍ଟ ତିନିପ୍ରକାର ମାନ୍ଦ୍ରାଜ, ମଧ୍ୟପ୍ରଦେଶ କିମ୍ବା ବଙ୍ଗଳା ସଙ୍ଗେ ମିଶିବା । ଚିଫ୍ କମିଶନର ଲାଭ କରି ସ୍ୱତନ୍ତ୍ର ଶାସନାଧୀନରେ ରହିବା ସ୍ୱର୍ଗଲାଭ । ସ୍ୱତନ୍ତ୍ର ଶାସନଲାଭ କରି ଅବଶ୍ୟ କଲିକତା ହାଇକୋର୍ଟ ଏବଂ କଲିକତା ବିଶ୍ୱବିଦ୍ୟାଳୟରୁ ବଞ୍ଚିତ ହେବାକୁ ନ ପଡ଼ୁ । ବର୍ତ୍ତମାନ ଏପରି ଦୃଢ଼ଭାବେ ପ୍ରାର୍ଥନା କରିବା ଆଦୌ ଅସଙ୍ଗତ ନୁହେଁ ।’’ ଏହା କହି ଲେଖକ ଦେଖାଇଅଛନ୍ତି ଯେ ଯେବେ ବେରାର ଓଡ଼ିଶା ସଙ୍ଗେ ମିଶିଯାଏ ତେବେ ତହିଁର କ୍ଷେତ୍ରଫଳ ଓ ଲୋକସଂଖ୍ୟା ଗୋଟିଏ ସ୍ୱତନ୍ତ୍ର ଚିଫ୍ କମିଶନରି ପାଇଁକି ପ୍ରଚୁର ହେବ ଓ ରାଜସ୍ୱ ଅଧିକ ହେବାରୁ ବ୍ୟୟକୁ ମଧ୍ୟ ନିଅଣ୍ଟ ହେବ ନାହିଁ । ସ୍ୱତନ୍ତ୍ର ଚିଫ୍‌ କମିଶନରି ଲାଭ କରିବା ସୁଖର ବିଷୟ ସନ୍ଦେହ ନାହିଁ, ମାତ୍ର ତାହା ଯେବେ ସର୍ବାଙ୍ଗ ସୌଷ୍ଟବ ହୁଏ ତେବେ ବାଞ୍ଛନୀୟ । ଏପରି ଗୋଟିଏ ପୂର୍ଣ୍ଣ ଚିଫ୍‍ କମିଶନରି ବହୁ ବ୍ୟୟସାଧ୍ୟ ସୁତରାଂ ତନ୍ନିମିତ୍ତ ପ୍ରାର୍ଥନା କରିବା ଅରଣ୍ୟରେ ରୋଦନ ମାତ୍ର । ଆମ୍ଭମାନଙ୍କ ଅପେକ୍ଷା ଗଭର୍ଣ୍ଣମେଣ୍ଟ୍ ଆପଣାର ଆୟ ବ୍ୟୟ କଥା ଭଲ ବୁଝନ୍ତି; ସେ ପକ୍ଷେ ଗଭର୍ଣ୍ଣମେଣ୍ଟ୍‍ଙ୍କୁ ଉପଦେଶ ଦେବାକୁ ଆମ୍ଭେମାନେ ଯୋଗ୍ୟ ନୋହୁଁ । ପୁଣି ଯେଉଁଠାରେ ବହୁ ବ୍ୟୟର କଥା ସେ ସ୍ଥଳେ ଆମ୍ଭେମାନେ କନ୍ଦାକଟା କରି ଭିକ୍ଷାର ଝୋଲି ମେଲାଇ ବସିଲେ କିଏ ଦୟା କରିବ ? ବିଶେଷତଃ ଗଭର୍ଣ୍ଣମେଣ୍ଟ୍ ଆମ୍ଭମାନଙ୍କୁ ଯେଉଁ ଶାସନାଧୀନରେ ରଖିଅଛନ୍ତି ତହିଁରେ ଯେ ସ୍ଥଳେ ଆମ୍ଭମାନଙ୍କର କୌଣସି ଅସୁବିଧା କି ଅସନ୍ତୁଷ୍ଟିର କାରଣ ନାହିଁ ସେ ସ୍ଥଳେ ଆମ୍ଭେମାନେ ଯେବେ ଅଧିକ ସୁଖଲାଭ ଆଶାରେ ତାଙ୍କୁ ଅଧିକତର ବ୍ୟୟ ଭାର ବହନ କରିବାକୁ ଅନୁରୋଧ କରୁଁ ତେବେ ସେ ଆମ୍ଭମାନଙ୍କର ଏପରି ଅନାର୍ଯ୍ୟ ପ୍ରାର୍ଥନାରେ କର୍ଣ୍ଣପାତ କରିବେ କାହିଁକି ? ତେବେ ଆମ୍ଭେ ଓଡ଼ିଆମାନେ ଏକ ଠୁଳ ହୋଇ ଅନେକଦିନ ଏକତ୍ରରେ ରହିଲା ଉତ୍ତାରୁ ଯେବେ କୌଣସି ସମୟରେ ସ୍ୱତନ୍ତ୍ର ଶାସନର ଫଳ ଭୋଗ କରିବାକୁ ଯୋଗ୍ୟ ହେବୁଁ ତେବେ ଗଭର୍ଣ୍ଣମେଣ୍ଟ୍ ସ୍ୱୟଂ ତାହା ଆମ୍ଭମାନଙ୍କୁ ପ୍ରଦାନ କରିବାକୁ କୁଣ୍ଠିତ ହେବେ ନାହିଁ । ତାହା ସମୟ ସାପେକ୍ଷ, ସେ ସମୟ ଏ ପର୍ଯ୍ୟନ୍ତ ଉପସ୍ଥିତ ହୋଇନାହିଁ । ବର୍ତ୍ତମାନ ଯାହା ମିଳୁଅଛି ତାହା ମିଳୁ ଅଧିକ ଗୁଡ଼ାଏ ଲୋଡ଼ିବାର ଭଲ ନୁହେଁ । ଭିକ୍ଷୁକ ହାତୀ, ଘୋଡ଼ା, ଧନ, ଦୌଲତ ଯାହା ମାଗେ ତାହା ତାକୁ କେହି ଦିଏ ନାହିଁ, ଦାତାଙ୍କର ଇଚ୍ଛାନୁସାରେ ସେ ଦିଅନ୍ତି । ସୁତରାଂ ଏତେବେଳେ ଚିଫ୍‌ କମିଶନରି ପ୍ରାର୍ଥନା କରି ଗଭର୍ଣ୍ଣମେଣ୍ଟ୍‍ଙ୍କୁ ବିରକ୍ତ କରିବା ଉଚିତ ନୁହେଁ-। ତଦବାଦ୍‍ ମିଶ୍ରିତ ଓଡ଼ିଶାକୁ ମାନ୍ଦ୍ରାଜ ସଙ୍ଗେ ମିଶାଇବା ବିରୁଦ୍ଧରେ ଲେଖକ ଯେ ଯୁକ୍ତି ଦେଖାଇଅଛନ୍ତି ସେ ଯୁକ୍ତି ଯଥାର୍ଥ ଅଟେ, ଗଭର୍ଣ୍ଣମେଣ୍ଟ୍‍ଙ୍କର ମଧ୍ୟ ସେହିପରି ଇଚ୍ଛା ।

 

ଏଥି ଉତ୍ତାରୁ ପ୍ରଧାନ କଥା ଅର୍ଥାତ୍ ମିଶ୍ରିତ ଓଡ଼ିଶା ବଙ୍ଗଳା ସଙ୍ଗେ ରହିବ କି ମଧ୍ୟପ୍ରଦେଶ ସଙ୍ଗେ ମିଶିବ ? ଏ ସମ୍ବନ୍ଧରେ ଲେଖକ ଯେ ଯୁକ୍ତିମାନ ଦେଖାଇଅଛନ୍ତି ତହିଁର ସମାଲୋଚନା କରାଯାଉଅଛି ତହିଁରୁ ପାଠକମାନେ ଦେଖିବେ ଲେଖକଙ୍କର ଯୁକ୍ତି କେତେଦୂର ସମୀଚୀନ । ଲେଖକ କହନ୍ତି ‘‘ଆମ୍ଭେମାନେ କୌଣସି ଏକପକ୍ଷର ପୋଷଣ ନ କରି ସାଧାରଣଙ୍କ ବିଚାରାର୍ଥେ ନିମ୍ନରେ କେତେକ ବିଷୟ ଲେଖୁଅଛୁ X X X ।’’ କିନ୍ତୁ ପୁସ୍ତିକା ଖଣ୍ଡିକ ଆଦ୍ୟୋପ୍ରାନ୍ତ ପାଠ କଲେ ସହଜରେ ଜଣାଯିବ ଯେ ମିଶ୍ରିତ ଉତ୍କଳପ୍ରଦେଶକୁ ମଧ୍ୟପ୍ରଦେଶର ଶାସନାଧୀନରେ ରଖାଯିବାପାଇଁ ଗଭର୍ଣ୍ଣମେଣ୍ଟ୍‍ଙ୍କୁ ଆବେଦନ କରିବା ନିମିତ୍ତ ଲୋକଙ୍କୁ ଫୁସଲାଇ ମତାଇବା ଭିନ୍ନ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ । ତାଙ୍କର ଯୁକ୍ତିମାନଙ୍କର ସମାଲୋଚନା ନିମ୍ନେ ପୃଥକ ରୂପେ ସଂକ୍ଷେପରେ କରାଯାଉଅଛି ।

 

୧। ଲୋକ ସଂଖ୍ୟା–ଏ ଯୁକ୍ତିରେ ଭବିଷ୍ୟତ କଳ୍ପିତ ବଙ୍ଗହତାର ଯେ ଲୋକସଂଖ୍ୟା ଦିଆଯାଇଅଛି ତାହା ୬,୭୫,୨୦,୪୮୪ ନ ହୋଇ ୬,୭୫,୦୦,୪୮୪ ହେବ (ଭାରତ ଗଭର୍ଣ୍ଣମେଣ୍ଟ୍‍ଙ୍କର ନିର୍ଦ୍ଧାରଣର ୨୮ ଦଫା ଦେଖ) ଯାହା ହେଉ ଏ ଭୁଲରେ କିଛି ଆସେ ଯାଏ ନାହିଁ-। ଏ ଯୁକ୍ତିରେ ଲେଖକ ଦେଖାଇଅଛନ୍ତି ଯେ ବଙ୍ଗଳା ସଙ୍ଗେ ମିଶିଲେ ଓଡ଼ିଆ ଶତକଡ଼ା ୧୬ ଓ ମଧ୍ୟପ୍ରଦେଶ ସଙ୍ଗେ ଶତକଡ଼ା ୪୦ ହେବ; ପୁଣି ମଧ୍ୟପ୍ରଦେଶର ଅବଶିଷ୍ଟ ୬୦ ଦିଓଟି ପ୍ରଧାନ ଜାତିର ଲୋକ ଅଟନ୍ତି ଅର୍ଥାତ୍ ମରହଟ୍ଟା ଓ ହିନ୍ଦୁସ୍ଥାନୀ-। ଏ ଯୁକ୍ତିର ମର୍ମ୍ମ କିଛି ବୁଝା ଯାଉ ନାହିଁ । ବଙ୍ଗଳା ସଙ୍ଗେ ଥାଇ ଓଡ଼ିଆମାନଙ୍କ ସଂଖ୍ୟା ଶତକଡ଼ା ୧୬ ହେଲେ କି କ୍ଷତି ହେବ ଆଉ ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ଶ କେ ୪୦ ଓଡ଼ିଆ ହେଲେ ବି ଲାଭ ହେବ ? ଲେଖକ କି ମନେ କରନ୍ତି ଯେ ବଙ୍ଗଳା ସଙ୍ଗେ ଥିଲେ କୌଣସି ବିଷୟରେ ମତ (Vote) ନିଆଯିବା କାଳରେ ଓଡ଼ିଆଙ୍କର ସଂଖ୍ୟା ଅଳ୍ପ ଥିବାରୁ ସେମାନଙ୍କ ମତ ଅଳ୍ପ ହେବା ଯୋଗୁଁ ପରିତ୍ୟକ୍ତ ହେବ ? ଯେବେ ତାହା ହୁଏ ତେବେ ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ମଧ୍ୟ ଫଳ ତଦ୍ରୂପ ହେବ । ସୁତରାଂ ‘‘ଢେଙ୍କି ସ୍ୱର୍ଗକୁ ଗଲେ ସୁଦ୍ଧା ଧାନ କୁଟିବ’’ ପକ୍ଷାନ୍ତରେ ମଧ୍ୟପ୍ରଦେଶବାସୀ ଓଡ଼ିଆ ଭିନ୍ନ ଲୋକେ ପ୍ରଧାନତଃ ଦୁଇ ଜାତି–ମରହଟ୍ଟା ଓ ହିନ୍ଦୁସ୍ଥାନୀ । ଏବେ ଦେଖାଯାଉ ଓଡ଼ିଆମାନଙ୍କର ବଙ୍ଗାଳିମାନଙ୍କ ସଙ୍ଗେ ଥିବା ଭଲ କି ମରହଟ୍ଟା ଓ ହିନ୍ଦୁସ୍ଥାନୀମାନଙ୍କ ସଙ୍ଗେ ମିଶିବା ଭଲ । ପ୍ରଥମତଃ ଭାଷା–ବଙ୍ଗଳା ଓଡ଼ିଆ ଭାଷାରେ ଯେତେ ମେଳ ଓଡ଼ିଆ ମରହଟ୍ଟୀ ବା ଓଡ଼ିଆ ହିନ୍ଦୁସ୍ଥାନୀ ଭାଷାରେ ତେତେ ମେଳ ନାହିଁ । ଓଡ଼ିଆ ନ ଶିଖିଥିବା ବଙ୍ଗାଳି ଅକ୍ଳେଶରେ ଓଡ଼ିଆ ବୁଝିପାରେ ଓ ଓଡ଼ିଆ ସାମାନ୍ୟ ଲୋକେ ସୁଦ୍ଧା ବଙ୍ଗଳାରେ ଯାଇଁ ଘରାଉ ଚାକେରି କି କୁଲିଗିରି କର୍ମ କରି ଆପଣା ଆପଣା ମୁନିବମାନଙ୍କର କଥାବାର୍ତ୍ତା ସହଜରେ ବୁଝି ଚଳପ୍ରଚଳ ହେଉଅଛନ୍ତି; ଏ ଯୋଗୁଁ କି ଚାକେରି କି ବାଣିଜ୍ୟ ବ୍ୟବସାୟ କି ଅନ୍ୟପ୍ରକାର କାର୍ଯ୍ୟ କୌଣସି ବିଷୟରେ କୌଣସି ପ୍ରକାର ଅସୁବିଧା ହେଉ ନାହିଁ; କିନ୍ତୁ ଅଶିକ୍ଷିତ ଲୋକ କଥା ତେଣେ ଥାଉ କେତେଜଣ ଶିକ୍ଷିତ ଓଡ଼ିଆ ମରହଟ୍ଟୀ ଭାଷା ବୁଝିପାରନ୍ତି ? ବଙ୍ଗଳା ଅପେକ୍ଷା ହିନ୍ଦୁସ୍ଥାନୀ ଭାଷା ସଙ୍ଗେ ଓଡ଼ିଆ ଭାଷାର ମେଳ ଅଧିକ ନୁହେଁ, ପୁଣି ମଧ୍ୟପ୍ରଦେଶାନ୍ତର୍ଗତ ଛତିଶଗଡ଼ୀ ହିନ୍ଦୁସ୍ଥାନୀ ଏକପ୍ରକାର କଡ଼ମଡ଼ିଆ ଭାଷା । ଭାଷା ବୁଝିପାରିବା ଦେଶମିଶ୍ରଣ ପକ୍ଷେ ଗୋଟିଏ ପ୍ରଧାନ ପ୍ରୟୋଜନୀୟ ବିଷୟ, ପ୍ରଧାନତଃ ସେହି କାରଣରୁ ବିକଳାଙ୍ଗ ଓଡ଼ିଶାକୁ ଏକତ୍ରିତ କରିବାର ପ୍ରସ୍ତାବ ଦେଉଅଛି । ଭାଷା ବିଭ୍ରାଟ ଯୋଗୁଁ ଶାସନପ୍ରଣାଳୀ ବହୁ ବ୍ୟୟସାଧ୍ୟ ଓ ଅସୁବିଧାଜନକ ହୋଇପଡ଼େ, ଏ ଅସୁବିଧା ଓ ବ୍ୟୟ ଗଞ୍ଜାମ ଯୋଗୁଁ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ୍‍ଙ୍କୁ ବହନ କରିବାକୁ ହେଉଅଛି, ସେ କାରଣରୁ ଗଞ୍ଜାମ ପ୍ରଦେଶକୁ ମାନ୍ଦ୍ରାଜ ହତାରୁ ପୃଥକ୍ କରିଦେବାର ପ୍ରସ୍ତାବ ହୋଇଅଛି । ପୁଣି ଏହି କାରଣରୁ କିଛିଦିନ ପୂର୍ବେ ସମ୍ବଲପୁରର ଅଦାଲତମାନଙ୍କରୁ ଓଡ଼ିଆ ଭାଷା ଉଠିଯାଇ ଯେ ହିନ୍ଦୀ ଭାଷା ପ୍ରଚଳିତ ହୋଇଥିଲା ତାହା ରହିତ ହୋଇ ଉକ୍ତ ଅଦାଲତମାନଙ୍କରେ ପୁନର୍ବାର ଓଡ଼ିଆ ପ୍ରଚଳିତ ହେଲା । ସମଗ୍ର ଓଡିଶା ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ପୂର୍ବୋକ୍ତ ଅସୁବିଧା ଯୋଗୁଁ ଯେବେ ଏ ଦେଶର କଚେରିମାନଙ୍କରେ ହିନ୍ଦୀ ଭାଷା ପ୍ରଚଳିତ ହୁଏ ତେବେ କି ଦଶା ହେବ ? ପକ୍ଷାନ୍ତରେ ଶତାଧିକବର୍ଷ କାଳୁ ଓଡ଼ିଶା ବଙ୍ଗଳା ସଙ୍ଗେ ଥିଲେ ମଧ୍ୟ କଚେରିର ଭାଷା ଓଡ଼ିଆ ରହିଅଛି ତହିଁରେ ଗଭର୍ଣ୍ଣମେଣ୍ଟ୍ କେବେହେଁ କୌଣସି ଅସୁବିଧା ଅନୁଭବ କରି ନାହାନ୍ତି । ହାକିମ ବଦଳି ପକ୍ଷେ ଏ ଅସୁବିଧା ବଡ଼ ବାଧାଜନକ, କିନ୍ତୁ ସେପରି ଘଟଣା ଓଡ଼ିଶାରେ କଦାପି ହୋଇନାହିଁ । ଏପରି ସ୍ଥଳେ ବଙ୍ଗଳାକୁ ଛାଡ଼ି ମଧ୍ୟପ୍ରଦେଶ ସଙ୍ଗେ ମିଶିବା କେତେଦୂର ଯୁକ୍ତିସଙ୍ଗତ ତାହା ପାଠକମାନେ ଭାଳି ଦେଖିବେ ।

 

ଆହୁରି ଗୋଟିଏ କଥା । ମଧ୍ୟପ୍ରଦେଶର ସହର ମାନଙ୍କରେ ଅକ୍‌ଟ୍ରୋଇ (Octroi) ବୋଲି ଗୋଟିଏ କର ଧାର୍ଯ୍ୟ ଅଛି । ଏହି କରରୁ ବର୍ଷକେ ପ୍ରାୟ ନଅଲକ୍ଷ ଟଙ୍କା ଆଦାୟ ହୁଏ । ସହର ମଧ୍ୟକୁ ଯେ ସକଳ ଖାଦ୍ୟାଦି ଦ୍ରବ୍ୟ ବିକ୍ରୟ ହେବାକୁ ଆସେ ତହିଁ ଉପରେ ମାସୁଲ ନେବାକୁ ଅକଟ୍ରୋଇ ବୋଲାଯାଏ । ଆମ୍ଭେମାନେ ଏଭଳି କର ସ୍ୱପ୍ନରେ ସୁଧା ଜାଣୁ ନାହିଁ । ମଧ୍ୟପ୍ରଦେଶ ସଙ୍ଗେ ମିଶି ଯେବେ ଆମ୍ଭମାନଙ୍କୁ ଏ କରଭାର ବହନ କରିବାକୁ ହୁଏ ତେବେ ଆମ୍ଭମାନଙ୍କର ଦୁର୍ଦ୍ଦଶାର ବାକି ରହିବ ନାହିଁ ।

 

ଲେଖକଙ୍କର ଦ୍ୱିତୀୟ ଯୁକ୍ତି ଐତିହାସିକ ସମ୍ବନ୍ଧ । ଏ ସମ୍ପର୍କରେ ଲେଖକ କହନ୍ତି ‘‘ମଧ୍ୟପ୍ରଦେଶ ସଙ୍ଗେ ଓଡ଼ିଶାର ଐତିହାସିକ ସମ୍ବନ୍ଧ ସମସ୍ତଙ୍କୁ ଜଣା, ପଲ୍ଲୀଗ୍ରାମର ସ୍ଥାନେ ସ୍ଥାନେ ଅଦ୍ୟାପି ଅନେକ ବୃଦ୍ଧ ବ୍ୟକ୍ତି ଅଛନ୍ତି ଯେଉଁମାନେ ପିତୃପିତାମହଙ୍କଠାରୁ ତଦାନୀନ୍ତନ ରାଜଧାନୀ ନାଗପୁରର କଥା ଶୁଣି ମଧ୍ୟପ୍ରଦେଶ ସଙ୍ଗେ ଓଡ଼ିଶାର ସମ୍ବନ୍ଧ ବର୍ତ୍ତମାନ ପର୍ଯ୍ୟନ୍ତ ମନେ ରଖିଅଛନ୍ତି, ଭାରତ ଗଭର୍ଣ୍ଣମେଣ୍ଟ୍ ମଧ୍ୟ ତାଙ୍କ ପତ୍ରରେ ଏହି ସମ୍ବନ୍ଧ ଅସ୍ୱୀକାର କରି ନାହାନ୍ତି ଏବଂ ମଧ୍ୟପ୍ରଦେଶ ସଙ୍ଗେ ଓଡ଼ିଶା ସମ୍ମିଳନୀ ସପକ୍ଷେ ଏହା ଅନ୍ୟତମ କାରଣ ବୋଲି ଲେଖିଅଛନ୍ତି । ଗଭର୍ଣ୍ଣମେଣ୍ଟ୍‍ଙ୍କ କହିବାନୁସାରେ ଉପସ୍ଥିତ ଘଟନାରେ ଏହି ଐତିହାସିକ ସମ୍ବନ୍ଧରେ ସେପରି କୌଣସି ଗୁରୁତ୍ୱ ନ ଥିଲେହେଁ ବଙ୍ଗଳା ସହିତ ତୁଳନାରେ ଏହା ଉଲ୍ଲେଖ ନ କରିବା ଏକପ୍ରକାର ତ୍ରୁଟି ।’’

 

ଲେଖକ ଅବଲୀଳାକ୍ରମେ ଅତି ସାବଧାନରେ ଲିଖିତ ବହୁକାଳର ପରୀକ୍ଷାର ଫଳ ଗଭର୍ଣ୍ଣମେଣ୍ଟ୍‍ଙ୍କ ନିର୍ଦ୍ଧାରଣରେ ଯେ ତ୍ରୁଟି ଦେଖିଅଛନ୍ତି ଦେଖାଯାଉ ତାହାର ଗୁରୁତ୍ୱ କେତେ ? ମଧ୍ୟପ୍ରଦେଶ ସଙ୍ଗେ ଓଡ଼ିଶାର ଐତିହାସିକ ସମ୍ବନ୍ଧ ଦେଖାଇବା ପାଇଁ ଗଲେ ଅଗ୍ରେ ମଧ୍ୟପ୍ରଦେଶର ଇତିହାସର କିଞ୍ଚିତ୍ ଆଲୋଚନା କରିବାର ଉଚିତ, ଅତଏବ ଅତି ସଂକ୍ଷେପରେ ସେ ବିଷୟ ନିମ୍ନରେ ଉଲ୍ଲେଖ କରାଯାଉଅଛି । ସେ ପ୍ରଦେଶର ପୁରାବୃତ୍ତ ସମ୍ପୂର୍ଣ୍ଣରୂପେ ଅପ୍ରାପ୍ତ–ଖ୍ରୀଷ୍ଟାବ୍ଦର ପଞ୍ଚମ ଶତାବ୍ଦୀରେ ସାତପୁର ଉଚ୍ଚପ୍ରଦେଶରେ ଯବନମାନେ ରାଜତ୍ୱ କରିଥିଲେ–ଦଶଠାରୁ ଢେର ଶତାବ୍ଦୀ ପର୍ଯ୍ୟନ୍ତ ଚନ୍ଦ୍ରବଂଶୀୟ ରାଜପୁତ୍‍ମାନେ ଜବଲପୁରର ଚତୁଃପାର୍ଶ୍ୱସ୍ଥ ରାଜ୍ୟଖଣ୍ଡରେ ଓ ମାଲେୟାର ପ୍ରମାରାର ରାଜାମାନେ ସାତପୁରର ଦକ୍ଷିଣର ରାଜ୍ୟଖଣ୍ଡରେ ରାଜତ୍ୱ କରିଥିଲେ–ତହିଁ ଉତ୍ତାରୁ ପ୍ରାୟ ସମଗ୍ର ପ୍ରଦେଶ ଗଣ୍ଡମାନଙ୍କର ଅଧୀନସ୍ଥ ହେଲା ଏମାନଙ୍କର ଅଧୀନରେ ପ୍ରାୟ ଅନେକ ଉନ୍ନତି ହୋଇଅଛି, ତହିଁ ଉତ୍ତାରୁ ୧୭୪୧-୧୭୫୧ ଶତାବ୍ଦୀ ମଧ୍ୟରେ ଭୋନସ୍‍ଲା ବଂଶୀୟ ରାଜାମାନେ ଦେଓଗଡ଼, ଚାନ୍ଦ ଓ ଛତିଶଗଡ଼ରେ ରାଜତ୍ୱ କଲେ ଏବଂ ଗଣ୍ଡୁବଂଶୀୟ ଶେଷରାଜା ୧୭୮୧ ଖ୍ରୀଷ୍ଟାବ୍ଦରେ ମରହଟ୍ଟାମାନଙ୍କଦ୍ୱାରା ପରାସ୍ତ ହେଲେ । ଏହି ସମୟରୁ ମଧ୍ୟପ୍ରଦେଶର ଇତିହାସ ସଙ୍ଗେ ଓଡ଼ିଶାର ଇତିହାସର ସମ୍ପର୍କ ହେଲା । ମରହଟ୍ଟାମାନଙ୍କ ରାଜତ୍ୱ ଏଡ଼େ ଉତ୍ପୀଡ଼କ ହୋଇଥିଲା ଯେ ପିଣ୍ଡାରି ନାମରେ ଏକଦଳ ଦସ୍ୟୁ ଏ ରାଜତ୍ୱ କାଳରେ ଉଦ୍‌ଭୂତ ହୋଇ ଲୁଟପାଟ ଆରମ୍ଭ କରିବାକୁ ଲାଗିଲେ । ମରହଟ୍ଟାମାନଙ୍କର ରାଜତ୍ୱ କି ମଧ୍ୟପ୍ରଦେଶ କି ଓଡ଼ିଶା କୌଣସିଠାରେ ଶୁଭଜନକ ନ ଥିଲା । ଏମାନେ ନିର୍ଦ୍ଦୟ ଭାବରେ ଦେଶକୁ ଲୁଟପାଟ କରି ଏପରି ଧ୍ୱସ୍ତବିଧ୍ୱସ୍ତ କରୁଥିଲେ ଯେ କୌଣସିଠାରେ ମୁଠିଏ ଚାଉଳ ମିଳିବାର ସମୟ ସମୟରେ କଠିନ ହେଉଥିଲା । ଏମାନଙ୍କର ଦୌରାତ୍ମ୍ୟ ଓଡ଼ିଶାରେ ମଧ୍ୟ ବିଲକ୍ଷଣ ଅନୁଭୂତ ହୋଇଥିଲା । ଲେଖକ ଯେ କହି ଅଛନ୍ତି ଯେ ପଲ୍ଲୀଗ୍ରାମର ସ୍ଥାନେ ସ୍ଥାନେ ଅଦ୍ୟାପି ଅନେକ ବୃଦ୍ଧବ୍ୟକ୍ତି ଅଛନ୍ତି ଯେଉଁମାନେ ପିତୃ ପିତାମହମାନଙ୍କଠାରୁ ତଦାନୀନ୍ତନ ରାଜଧାନୀ ନାଗପୁରର କଥାଶୁଣି ମଧ୍ୟପ୍ରଦେଶ ସଙ୍ଗେ ଓଡ଼ିଶାର ସମ୍ବନ୍ଧ ବର୍ତ୍ତମାନ ପର୍ଯ୍ୟନ୍ତ ମନେ ରଖିଅଛନ୍ତି’’ ତାହା ବଡ଼ ଠିକ୍, ମରହଟ୍ଟାମାନଙ୍କର ଉତ୍ପାତ ତିନିପୁରୁଷ ପର୍ଯ୍ୟନ୍ତ ଓଡ଼ିଆମାନଙ୍କର ମନରୁ ପାସୋରି ଯାଇନାହିଁ । ଏ ପର୍ଯ୍ୟନ୍ତ ‘‘ମରହଟ୍ଟା’’ ଶବ୍ଦଟା ଓଡ଼ିଶାରେ ନିକୃଷ୍ଟତା ଓ ଭୟସୂଚକ ଯେମନ୍ତ କି ‘‘ମରହଟ୍ଟୀ ଯୋତା–ଚଢ଼ଉ ଯୋତା’’ ‘‘ମରହଟ୍ଟୀ ବୁଢ଼ା–ଶିକ୍ଷିତ ଯୁବକ’’ । ଏବେ ଓଡ଼ିଶାର ଇତିହାସରୁ ଦୁଇ ଏକ କଥା ଉଲ୍ଲେଖ କରି ଦେଖାଯାଉ ଏହାର ସମ୍ବନ୍ଧ ମଧ୍ୟପ୍ରଦେଶ ଇତିହାସ ସଙ୍ଗେ କେତେଦୂର ଗାଢ଼ । ଖ୍ରୀଷ୍ଟାବ୍ଦ ୧୫୬୫ ସାଲ ପର୍ଯ୍ୟନ୍ତ ଓଡ଼ିଶା ଦେଶୀୟ ରାଜାମାନଙ୍କ ଅଧୀନରେ ଥିଲା । ଏହି ବର୍ଷ କଳାପାହାଡ଼ ଏହାକୁ ମୁସଲମାନ ରାଜ୍ୟଭୁକ୍ତ କଲା । ଏହି ସମୟରୁ ୧୭୫୧ ସାଲ ପର୍ଯ୍ୟନ୍ତ ଏହା ମୁସଲମାନମାନଙ୍କ ହସ୍ତରେ ଥିଲା । ସେହି ସାଲରେ ବଙ୍ଗଳାର ନବାବ ଓ ମରହଟ୍ଟାମାନଙ୍କ ମଧ୍ୟରେ ଯେ ସନ୍ଧି ହେଲା ସେହି ସନ୍ଧିର ସର୍ତ୍ତ ଅନୁସାରେ ମରହଟ୍ଟାମାନେ ବଙ୍ଗଳା ରାଜସ୍ୱର ଚୌଥ ଓ ଓଡ଼ିଶା ପ୍ରଦେଶ ପ୍ରାପ୍ତ ହେଲେ । ପୁଣି ୧୮୦୩ ସାଲରେ ଇଂରେଜମାନେ ଏହା ଅଧିକାର କଲେ । ଅତଏବ ଦେଖାଯାଏ ୧୭୫୧ ସାଲଠାରୁ ୧୮୦୩ ସାଲ ପର୍ଯ୍ୟନ୍ତ ମରହଟ୍ଟାମାନେ ୫୨ବର୍ଷ କାଳ ଓଡ଼ିଶାରେ ରାଜତ୍ୱ କରିଥିଲେ । ଏହି କାଳ ମଧ୍ୟରେ ମଧ୍ୟପ୍ରଦେଶର ଇତିହାସ ସଙ୍ଗେ ଓଡ଼ିଶାର ଇତିହାସର ସମ୍ବନ୍ଧ । ମରହଟ୍ଟାମାନେ ଓଡ଼ିଶାରେ ଏପରି କୌଣସି କୀର୍ତ୍ତି ରଖି ଯାଇନାହାନ୍ତି ଯଦ୍ଦ୍ୱାରା ତାଙ୍କର ନାମ ଏ ଦେଶରେ ଚିରସ୍ମରଣୀୟ ହୋଇପାରେ, ତେବେ କଟକର ପୂର୍ବରେ ଚାଉଳିଆଗଞ୍ଜଠାରେ ଯେ ଘୋଡ଼ାଜାଗା ଅଛି ତାହା ଏତେଦୂର ଉପକାରୀ, କି ଶିଳ୍ପନୈପୁଣ୍ୟ ପ୍ରଦର୍ଶକ, କି ବୃହତ ନୁହେଁ ଯହିଁରେ କି ଏହାର ନିର୍ମାତା ସ୍ମରଣୀୟ ହୋଇପାରେ । କିନ୍ତୁ ମରହଟ୍ଟାମାନଙ୍କର ଦୌରାତ୍ମ୍ୟ ଅବଶ୍ୟ ଓଡ଼ିଶାରୁ ଏ ପର୍ଯ୍ୟନ୍ତ ପାସୋରି ଯାଇ ନାହିଁ । ଏହି ତ ଗଲା ଐତିହାସିକ ସମ୍ପର୍କ । ଏଥିପାଇଁ କି ଓଡ଼ିଆମାନେ ମଧ୍ୟପ୍ରଦେଶ ସଙ୍ଗେ ମିଶିବା କେତେଦୂର ବାଞ୍ଛନୀୟ ତାହା ପାଠକମାନେ ଭାଳି ଦେଖନ୍ତୁ ।

 

ତୃତୀୟ ପ୍ରାକୃତିକ ଅବସ୍ଥିତି । ଏ ପ୍ରସଙ୍ଗରେ ଲେଖକ କହନ୍ତି କି ‘‘ଓଡ଼ିଶା ଏପରି ଭାବରେ ଅବସ୍ଥିତ ଯେ ଏହା ବଙ୍ଗଳାର ପ୍ରାକୃତିକ ଅଙ୍ଗପରି ଜଣା ପଡ଼େ ନାହିଁ । ଦକ୍ଷିଣ ପଶ୍ଚିମ ଦିଗରେ ଏହା ବଙ୍ଗଳାର ବିକୃତ ପ୍ରସାରଣ ମାତ୍ର । ଏହି ହେତୁରୁ ବିଚ୍ଛିନ୍ନ କରି ଏହାକୁ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ କରିବା ଲାଗି କର୍ତ୍ତୃପକ୍ଷମାନେ ଏକାଧିକ ଥର ପ୍ରସ୍ତାବ କରିଥିଲେ । ଗଭର୍ଣ୍ଣମେଣ୍ଟ୍ ମଧ୍ୟ ଏହା ତାଙ୍କ ପତ୍ରରେ ସ୍ପଷ୍ଟ ଉଲ୍ଲେଖ କରିଅଛନ୍ତି । ବାସ୍ତବରେ ମଧ୍ୟପ୍ରଦେଶ ସଙ୍ଗେ ଓଡ଼ିଶା ମିଶିଲେ ତାହାର ଏ ବିକୃତ ଆକାର ରହିବ ନାହିଁ । ତାହା ମଧ୍ୟପ୍ରଦେଶର ଏକ ପ୍ରାକୃତିକ ସୁଢ଼ଳ ଅଙ୍ଗପରି ଦେଖାଯିବ । ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ପ୍ରାକୃତିକ ଅବସ୍ଥାରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ-। ଏମନ୍ତ କି ମଧ୍ୟପ୍ରଦେଶର ସୀମାନ୍ତ ବାମଣ୍ଡା କିମ୍ବା ସୋନପୁର ରାଜ୍ୟ ଅତିକ୍ରମ କରି କେହି ରାଜନୈତିକ ଓଡ଼ିଶାରେ ପ୍ରବେଶ କଲେ ଜଳବାୟୁ କିମ୍ବା ପ୍ରାକୃତିକ ଦୃଶ୍ୟ ପ୍ରଭୃତି କୌଣସି ନୈସର୍ଗିକ ପ୍ରଭେଦ ଦେଖି ପାରିବେ ନାହିଁ; ବରଂ ଏକ ପ୍ରଦେଶ ଅନ୍ୟର ସ୍ୱାଭାବିକ ବିକୃତ ଅଙ୍ଗପରି ବୋଧ ହେବ । ଆହୁରି ମଧ୍ୟ ଓଡ଼ିଶା ଏବଂ ମଧ୍ୟପ୍ରଦେଶର ପ୍ରଧାନ ନଦୀ ମହାନଦୀ ଦ୍ୱାରା ଉଭୟ ପ୍ରଦେଶର ସ୍ୱାଭାବିକ ସଂଯୋଗ ଚିରଦିନ ବିଦ୍ୟମାନ ରହିଛି । ମଧ୍ୟପ୍ରଦେଶର ଯଦି କୌଣସି କାଳେ ସମୁଦ୍ର ସହିତ ସଂଯୋଗ ରଖିବା ଆବଶ୍ୟକ ପଡ଼େ ତାହା ହେଲେ ଓଡ଼ିଶାର ମିଶ୍ରଣ ବ୍ୟତିରେକେ ତାହା କଦାପି ସମ୍ଭବ ନୁହେଁ ।

 

ପକ୍ଷାନ୍ତରେ ସମୁଦ୍ର ଛଡ଼ା ବଙ୍ଗଳା ସଙ୍ଗେ ଓଡ଼ିଶାର ଅନ୍ୟ କୌଣସି ପ୍ରାକୃତିକ ସଂଯୋଗ ନାହିଁ, ବରଂ ଉଭୟଙ୍କ ମଧ୍ୟରେ ସୁବର୍ଣ୍ଣରେଖା କିମ୍ବା କାନ୍ଥିକୁ ଓଡ଼ିଶା ସାମିଲ କଲେ କାଂଶ ବାଂଶ ନଦୀ ସ୍ୱାଭାବିକ ବ୍ୟବଧାନରୂପେ ବିଦ୍ୟମାନ ।’’

 

ଭାରତବର୍ଷର ମାନଚିତ୍ର ଦେଖିଲେ ଭଲରୂପେ ବୁଝାଯିବ ଯେ ଓଡ଼ିଶା ବଙ୍ଗଳାର ବିକୃତାଙ୍ଗ ନୁହେଁ, ବରଂ ମଧ୍ୟପ୍ରଦେଶରୁ ସମ୍ବଲପୁର ଓ ତହିଁର ଉତ୍ତର ପୂର୍ବଭାଗ ବଙ୍ଗଳା ସଙ୍ଗେ ମିଶିଲେ ବଙ୍ଗଳାର ଅଙ୍ଗ ସୁଡୌଲ ହୋଇଯିବ । ବର୍ତ୍ତମାନ ବରଂ ମଧ୍ୟପ୍ରଦେଶର ଉକ୍ତ ଅଂଶ ବଙ୍ଗଳା ଭିତରେ ପଶିଯାଇଅଛି । ଅବଶ୍ୟ ବେରାର ସଙ୍ଗେ ମଧ୍ୟପ୍ରଦେଶ ମିଶିଲେ ଆକାର ଭଲ ଦିଶିବ ।

 

ମଧ୍ୟପ୍ରଦେଶ ଓ ଓଡ଼ିଶାର ପ୍ରାକୃତିକ ଅବସ୍ଥାରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ ବୋଲି ଲେଖକ ଯାହା କହିଅଛନ୍ତି ତାହା ବରଂ ଓଡ଼ିଶାର ଗଡ଼ଜାତ ଅଂଶ ପକ୍ଷେ କେତେକ ପରିମାଣରେ ଖଟିପାରେ କିନ୍ତୁ ମୋଗଲବନ୍ଦୀ ସଙ୍ଗେ ବଙ୍ଗଳାର ସୌସାଦୃଶ୍ୟ ଅଧିକ ଏ ବିଷୟରେ କେବଳ ଗୋଟିକେତେ ଉଦାହରଣ ଦେଲେ ଲେଖକଙ୍କର ଭ୍ରମ ଉତ୍ତମରୂପେ ପ୍ରକାଶ ପାଇବ । ବଙ୍ଗଳା ଓ ଓଡ଼ିଶାରେ ନଡ଼ିଆଗଛ ଉତ୍ତମରୂପେ ବଢ଼େ, ମଧ୍ୟପ୍ରଦେଶରେ ନଡ଼ିଆ ହୁଏ ନାହିଁ । ଏଥିରୁ ସ୍ପଷ୍ଟ ଦେଖାଯାଏ ଯେ ଓଡ଼ିଶାର ପ୍ରାକୃତିକ ଅବସ୍ଥା ମଧ୍ୟପ୍ରଦେଶ ସଙ୍ଗେ ମେଳ ନ ଥାଇଁ ବଙ୍ଗଳା ସଙ୍ଗେ ମିଳୁଅଛି । ନଡ଼ିଆଗଛର ଉତ୍ପତ୍ତି ଓ ବୃଦ୍ଧି ଦେଶର ପ୍ରାକୃତିକ ଅବସ୍ଥା ଉପରେ ନିର୍ଭର କରେ । ପୁଣି ବଙ୍ଗଳା ପରି ଓଡ଼ିଶାର (ମୋଗଲବନ୍ଦୀ ମାହାଲର) ମାଟି ତଳେ ବାଲି ମିଳେ । ମଧ୍ୟପ୍ରଦେଶରେ ଉପରୁ ଅଳ୍ପ ମାଟି କାଢ଼ିଦେଲେ ତଳେ ପଥର ବାହାରେ ।

 

ମଧ୍ୟପ୍ରଦେଶର ଅଧିକାଂଶ ଭୂମି ପଥୁରିଆ, ଓଡ଼ିଶାର ଭୂମି ମାଟି ଓ ବାଲି । ମଧ୍ୟପ୍ରଦେଶରେ ନଦୀର ସଂଖ୍ୟା ଅଳ୍ପ ଓ ସେ ନଦୀମାନ ଅପ୍ରଶସ୍ତ, କିନ୍ତୁ ଓଡ଼ିଶାରେ ଚଉଡ଼ା ନଦୀର ସଂଖ୍ୟା ବିସ୍ତାର; ଓଡ଼ିଶାର ଅଧିକାଂଶ ଭୂମି ସମୁଦ୍ରର ନିକଟବର୍ତ୍ତୀ ଥିବାରୁ ତହିଁର ଜଳବାୟୁ ଲୁଣା, ମଧ୍ୟପ୍ରଦେଶର ଜଳବାୟୁ ମିଠା, ବାତଜ୍ୱର (ଶ୍ଲିପଦ ରୋଗ) ଓ କୋଷବୃଦ୍ଧି ରୋଗ ଓଡ଼ିଶାରେ ପ୍ରବଳ ଏପରି ରୋଗୀର ସଂଖ୍ୟା ମଧ୍ୟପ୍ରଦେଶରେ ଅତି ବିରଳ । ଏହି ସକଳ ଓ ଅନ୍ୟାନ୍ୟ ଘଟଣାରୁ ସ୍ପଷ୍ଟ ଦେଖାଯିବ ଯେ ଓଡ଼ିଶାର ପ୍ରାକୃତିକ ଅବସ୍ଥା ମଧ୍ୟପ୍ରଦେଶ ସଙ୍ଗେ ମେଳ ନ ଥାଇ ବରଂ ବଙ୍ଗଳା ସଙ୍ଗେ ଅଧିକାଂଶରେ ମିଳେ । ମହାନଦୀ ମଧ୍ୟପ୍ରଦେଶରୁ ବାହାରି ଓଡ଼ିଶାରେ ସମୁଦ୍ରରେ ପଡ଼ିଅଛି ସତ୍ୟ କିନ୍ତୁ ମଧ୍ୟପ୍ରଦେଶ ମଧ୍ୟରେ ଏହାର ଯେ ଅଂଶ ଅଛି ତାହା ଅକର୍ମଣ୍ୟ, ବର୍ଷକ ମଧ୍ୟରେ ପ୍ରାୟ ଚାରିମାସ ଏଥିରେ ନୌକା ଯାତାୟାତ କରେ, ଅନ୍ୟ ସମୟରେ ମଧ୍ୟପ୍ରଦେଶରୁ ଓଡ଼ିଶାକୁ ଆସିବାକୁ ହେଲେ ବିପଦସଙ୍କୁଳ ପର୍ବତ ଅରଣ୍ୟର ଭିତରେ ପଦବ୍ରଜେ ଆସିବାକୁ ହୁଏ, ନତୁବା ଢେଙ୍କି ଚାଳିବାଟେ କଟକ ଗଲା ପରି ବେଙ୍ଗଲ–ନାଗପୁର ରେଳ ପଥରେ ବଙ୍ଗଳାର ମଧ୍ୟ ଦେଇ ବୁଲିଆସିବାକୁ ହୁଏ । ମଧ୍ୟପ୍ରଦେଶାନ୍ତର୍ଗତ ମହାନଦୀର ଅଂଶ ସ୍ଥାନେ ସ୍ଥାନେ ଅତି ଅପ୍ରଶସ୍ତ ଓ ତହିଁ ମଧ୍ୟରେ ବୃହତ୍ ପ୍ରସ୍ତର ଖଣ୍ଡମାନ (ବିଷମ) ବୁଡ଼ି ରହିଥିବାରୁ ବର୍ଷାକାଳରେ ମଧ୍ୟ ତହିଁରେ ନୌକା ଯାତାୟାତ ପକ୍ଷେ ବିପଦ ଘଟେ, ପୁଣି ସମ୍ବଲପୁରର କିଛି ଉପରୁ ଆହୁରି ଉପରକୁ ନୌକା ଯିବା ଆସିବାର ପଥ ନାହିଁ ବୋଇଲେ ଚଳେ । ସୁତରାଂ ସମ୍ବଲପୁରକୁ ବାଦ୍‍ ଦେଲେ ମହାନଦୀର ଆଉ ଯେ ଅଂଶ ମଧ୍ୟପ୍ରଦେଶ ମଧ୍ୟରେ ଅଛି ତଦ୍ଦ୍ୱାରା ବାଣିଜ୍ୟାଦିର କୌଣସି ଉପକାର ହୁଏ ନାହିଁ । ମହାନଦୀ ବାଟେ ଯେ ନୌକାମାନ ଯାତାୟାତ କରେ ସେ ପଥ ବଡ଼ ଅପ୍ରଶସ୍ତ (ଚୌଡ଼ାଡଙ୍ଗା ଏ ପଥର ଉପଯୋଗୀ ନୁହେଁ) । ସୁତରାଂ ତହିଁରେ ଅଳ୍ପ ଦ୍ରବ୍ୟ ବୋଝାଇ ହୋଇଥାଏ । ମଧ୍ୟପ୍ରଦେଶ ସଙ୍ଗେ ଓଡ଼ିଶା ମିଶିଲେ ମହାନଦୀର ବାଣିଜ୍ୟର ଯେ କିପରି ଉନ୍ନତି ହେବ ତାହା ବୁଝା ପଡ଼ୁ ନାହିଁ କି ଲେଖକ ତାହା ଦେଖାଇ ଦେଇ ନାହାନ୍ତି, ଶାସନ ପରିବର୍ତ୍ତନ ଯୋଗୁଁ ମହାନଦୀକି କାଟି, ଖୋଳି ଚଉଡ଼ା ଓ ଗଭୀର କରାଯିବ ବୋଲି କି ସେ ମନେ କରିଅଛନ୍ତି-? ଓଡ଼ିଶା ଯେଉଁ ଶାସନାଧୀନରେ ରହୁନା କାହିଁକି, ମହାନଦୀ ଯେପରି ଅଛି ସେହିପରି ଥିବ । ବର୍ତ୍ତମାନ ବେଙ୍ଗଲ ନାଗପୁର ରେଳଦ୍ୱାରା ମଧ୍ୟପ୍ରଦେଶ ବଙ୍ଗଳା ଓ ଉତ୍ତରପଶ୍ଚିମ ପ୍ରଦେଶମାନଙ୍କ ସଙ୍ଗେ ଯୁକ୍ତ ହୋଇଥିବାରୁ ମହାନଦୀର ବାଣିଜ୍ୟ କମି ଯାଇଅଛି ଭବିଷ୍ୟତକୁ ଏହାର ଉନ୍ନତି ହେବାର ଆଶା ନାହିଁ । ମଧ୍ୟପ୍ରଦେଶ ସଙ୍ଗେ ଓଡ଼ିଶା ରେଳଦ୍ୱାରା ଯୁକ୍ତ ହେଲେ ସୁଦ୍ଧା ମଧ୍ୟପ୍ରଦେଶର ପଣ୍ୟଦ୍ରବ୍ୟ ଓଡ଼ିଶାକୁ ଆସିବ ନାହିଁ କି ଏଠାର ଦ୍ରବ୍ୟ ସେଠାକୁ ଯିବ ନାହିଁ ତହିଁର କାରଣ ଏହି କି ମଧ୍ୟପ୍ରଦେଶରୁ ଚାଉଳ, ଗହମ, ମୁଗ, ହରଡ଼ ଓ କାଠ ପ୍ରଭୃତି ବିଦେଶକୁ ରପ୍ତାନି ହୁଏ ଓଡ଼ିଶାରୁ ମଧ୍ୟ ସେହି ସକଳ ଦ୍ରବ୍ୟ ଅନ୍ୟ ସ୍ଥାନକୁ ପଠାଯାଏ, ଏପରି ସ୍ଥଳେ ସେ ଦ୍ରବ୍ୟମାନ ମଧ୍ୟପ୍ରଦେଶରୁ ଓଡ଼ିଶାବାଟେ କାହିଁକି ବିଦେଶକୁ ଯିବ ? ସୁତରାଂ ମଧ୍ୟପ୍ରଦେଶ ସଙ୍ଗେ ଓଡ଼ିଶା ମିଶିଲେ ମଧ୍ୟ ଏ ଦୁଇ ପ୍ରଦେଶ ଯେ ସ୍ୱତନ୍ତ୍ର ରେଳଦ୍ୱାରା ଯୁକ୍ତ ହେବ ତହିଁର ଆଶା ଅତି ଅଳ୍ପ, କାରଣ କି ଯାତ୍ରୀ (Passenger) ବୋହିବାରେ ରେଲୱେରେ ଲାଭ ହୁଏ ନାହିଁ, (goods) ବାଣିଜ୍ୟ ଦ୍ରବ୍ୟର ଯେ ଯେ ପ୍ରଦେଶ ମଧ୍ୟରେ ଯାତାୟାତ ଅଧିକ ସେହି ସେହି ପ୍ରଦେଶ ମଧ୍ୟରେ ରେଲ୍ ବସାଇବାରେ ଲାଭ ହୁଏ ।

 

ପକ୍ଷାନ୍ତରେ ଓଡ଼ିଶା ବର୍ତ୍ତମାନ ଏକା ବଙ୍ଗଳା କାହିଁକି ମାନ୍ଦରାଜ ପ୍ରଭୃତି ସମସ୍ତ ଦକ୍ଷିଣ ଭାରତବର୍ଷ ସଙ୍ଗେ ରେଳ ସଡ଼କ ଓ ସମୁଦ୍ରଦ୍ୱାରା ଯୁକ୍ତ । ଏ ତିନିପ୍ରଦେଶ ମଧ୍ୟରେ ବାଣିଜ୍ୟ ବୋଲ ଯାତ୍ରୀ ବୋଲ ସମସ୍ତର ସକଳ ସମୟରେ ଯାତାୟାତର ସୁବିଧା ରହିଅଛି, ପୁଣି ଯେଉଁ ପ୍ରକାର ଯେତେ ଦ୍ରବ୍ୟ ଯେ କୌଣସି ସମୟରେ ଅତ୍ୟଳ୍ପ ବ୍ୟୟରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରୁଅଛି । ଯେବେ ଦେଶ ମିଶ୍ରଣ ସଙ୍ଗେ ବାଣିଜ୍ୟାଦିର କୌଣସି ସମ୍ବନ୍ଧ ଥାଏ ତେବେ ଏ ସୁବିଧା ଛାଡ଼ିବାକୁ କେଉଁ ନିର୍ବୋଧ ଉପଦେଶ ଦେଇପାରେ ?

 

ଲେଖକ ଆହୁରି କହିଅଛନ୍ତି ଯେ କାଂଶ ବାଂଶ ନଦୀ ଓଡ଼ିଶା ଓ ବଙ୍ଗଳା ମଧ୍ୟରେ ସ୍ୱାଭାବିକ ବ୍ୟବଧାନ ରୂପେ ବିଦ୍ୟମାନ । ଏ ଯୁକ୍ତିର ପଟାନ୍ତର ନାହିଁ । ଲେଖକଙ୍କର ବାଡ଼ିଆଡ଼େ ଯେଉଁ ଜୋର ଅଛି ସେ ତାଙ୍କର ଦେଶ ଓ ଆଶିୟା ଖଣ୍ଡ ମଧ୍ୟରେ ସ୍ୱାଭାବିକ ବ୍ୟବଧାନ ସନ୍ଦେହ ନାହିଁ । କାଂଶ ବାଂଶ ନଦୀ ଜଗନ୍ନାଥ ସଡ଼କର ପୁଲ ତଳେ ବୋହି ଯାଉଅଛି ସୁତରାଂ ସେ ଯେ ଗୋଟିଏ ବଡ଼ ସ୍ୱାଭାବିକ ବ୍ୟବଧାନ ଏଥିରେ ଆଶ୍ଚର୍ଯ୍ୟ କ’ଣ ? ଗୋଟିଏ ଢଗ ଅଛି’ ‘‘ହଳଦି ମଖାମଖି, ସୁବର୍ଣ୍ଣରେଖା ପାରି ହେଲେ କୁଟୁମ୍ବ ଦେଖାଦେଖି’’ ବୋଧହୁଏ ଲେଖକଙ୍କର ଏହି ଢଗଟି ମନେ ପଡ଼ିଥିଲା ତେଣୁ ସେ ଉପରୋକ୍ତ ବିଚିତ୍ର ଯୁକ୍ତିର ଉଲ୍ଲେଖ କରିଅଛନ୍ତି । ଲେଖକ ! ଧନ୍ୟ ଆପଣ ! ଆଖିରେ ଧୂଳି ପକାଇ ଲୋକଙ୍କୁ ଫୁସଲାଇବା ପକ୍ଷେ ଆପଣ ବଡ଼ ବାହାଦୂର ସନ୍ଦେହ ନାହିଁ । ପୁଣି ଓଡ଼ିଶା ସଙ୍ଗେ ମିଶିଲେ ମଧ୍ୟପ୍ରଦେଶ ଯେ ଏକ ସମୟରେ ବନ୍ଦର ପାଇପାରିବ ତାହା ମଧ୍ୟ ଠିକ ନୁହେଁ । ଓଡ଼ିଶାରେ ଭଲ ବନ୍ଦର ନାହିଁ, ଚାନ୍ଦବାଲି ବନ୍ଦରକୁ ବନ୍ଦର ବୋଲାଯାଇ ନ ପାରେ ତାହାର ଅବସ୍ଥା ପ୍ରଚୁର ବାଣିଜ୍ୟୋପଯୋଗୀ ନୁହେଁ । ଗଭର୍ଣ୍ଣମେଣ୍ଟ୍ ଏ ବିଷୟରେ ଅନେକ ତତ୍ତ୍ୱ କରି ଅଛନ୍ତି । ପରନ୍ତୁ ମଧ୍ୟପ୍ରଦେଶରେ କେବଳ ୨୮୩୩ ମାଇଲି ମାତ୍ର ସଡ଼କ ଅଛି । ସଡ଼କ ପ୍ରସ୍ତୁତ କରିବାପାଇଁ ସେ ଦେଶର ଭୂମି ଉପଯୋଗୀ ନୁହେଁ । ସେ ପ୍ରଦେଶରେ ଜଳପଥ ମୋଟରେ ୧୩୭୩ ମାଇଲ । ଏବେ ପାଠକେ ବଙ୍ଗଳା ସଙ୍ଗେ ମଧ୍ୟପ୍ରଦେଶକୁ ତୁଳନା କରି ଦେଖ ଓଡ଼ିଶା କାହା ସଙ୍ଗେ ରହିବା ଭଲ ।

 

ଏବେ ଦେଖାଯାଉ ଧର୍ମ ବିଷୟରେ ଲେଖକଙ୍କର ଚତୁର୍ଥ ଯୁକ୍ତି କେଡ଼େ ଟାଣ । ଏଠାରେ ଧପାଧପି ଚଳି ପାରିଲା ନାହିଁ, ସୁତରାଂ ସେ ଅଗତ୍ୟା ମୁଣ୍ଡ କୁଣ୍ଡେଇବାକୁ ଆରମ୍ଭ କରିଅଛନ୍ତି, ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କର ନାମ ସଂକୀର୍ତ୍ତନର ଶବ୍ଦରେ ଲେଖକଙ୍କର ଅକିଞ୍ଚିତକର ଜଳ୍ପନା ତିଷ୍ଠି ପାରିନାହିଁ, ତେଣୁ ଅଗତ୍ୟା ସେ ବାଧ୍ୟ ହୋଇ ସ୍ୱୀକାର କରିଅଛନ୍ତି ଯେ ‘‘ବଙ୍ଗଳା ସଙ୍ଗେ ଓଡ଼ିଶାର ସ୍ୱାଭାବିକ ସଂଯୋଗ ଘନିଷ୍ଠ ନ ଥିଲେ ହେଁ ଅନ୍ୟ ଏକ ସୂତ୍ରରେ ଉଭୟେ ଦୃଢ଼ରୂପେ ଆବଦ୍ଧ, ତାହା ଧର୍ମ । ବଙ୍ଗଳାର ବୈଷ୍ଣବ ଧର୍ମ ପ୍ରଚାରକ ଭଗବାନ୍ ଶ୍ରୀକୃଷ୍ଣ ଚୈତନ୍ୟଦେବ ଉତ୍କଳୀୟ’ ବ୍ରାହ୍ମଣ ବଂଶୋଭବ ଅଟନ୍ତି । ଓଡ଼ିଶାର ଅଧିକାଂଶ ଅଧିବାସୀ ଏହାଙ୍କ ପ୍ରଚାରିତ ଧର୍ମରେ ଦୀକ୍ଷିତ, ଏହି ସମ୍ବନ୍ଧବଶତଃ ଓଡ଼ିଆ ଭାଷା ଏବଂ ଓଡ଼ିଆ ସାହିତ୍ୟ ଉପରେ ବଙ୍ଗଭାଷାର ପ୍ରଭାବ ବିଶେଷରୂପେ ପରିଲକ୍ଷିତ ହୁଏ ।

 

ଏକା ଭାଷା ଓ ସାହିତ୍ୟ କାହିଁକି ଓଡ଼ିଶାର ଅସ୍ଥିମଜ୍ଜାରେ ପ୍ରେମ ଭକ୍ତି ମିଶିଯାଇଅଛି । ଯେଉଁଠାରେ ନାମ ସଂକୀର୍ତ୍ତନ ନ ହୁଏ ଏପରି ଗାଁ ଓଡ଼ିଶାରେ ନାହିଁ ବୋଇଲେ ଚଳେ । ପୁଣି ମାଳି ତିଳକ ଛଡ଼ା କେତେଜଣ ହିନ୍ଦୁ ଓଡ଼ିଶାରେ ଅଛନ୍ତି ? ସ୍ୱୀକାର କରୁଁ ଆଧୁନିକ ଶିକ୍ଷିତାଭିମାନୀ ଜଣକେତେ ଅପରିଣାମଦର୍ଶୀ ଯୁବକ ତିଳକ କରନ୍ତି ନାହିଁ ସତ୍ୟ କିନ୍ତୁ ସେମାନେ କୁଳଧର୍ମାନୁସାରେ ବିଷ୍ଣୁ ମନ୍ତ୍ରରେ ଦୀକ୍ଷିତ । ଶ୍ରୀମଦ୍‍ଦ୍ଭାଗବତ ପାଠ, ନାମ ଭଜନ, ନାମ ସଂକୀର୍ତ୍ତନ ଓଡ଼ିଶାର କେଉଁଠାରେ ନାହିଁ ? ଓଡ଼ିଶାର ବ୍ରାହ୍ମଣେ ତ ହିନ୍ଦୁମାନଙ୍କ ମଧ୍ୟରେ କେତେଜଣ ବିଷ୍ଣୁମନ୍ତ୍ର ଛଡ଼ା ଅନ୍ୟ ମନ୍ତ୍ରରେ ଦୀକ୍ଷିତ ? ବ୍ରାହ୍ମଣମାନେ ଯେ ବୈଷ୍ଣବ ଧର୍ମାବଲମ୍ବୀ ନୁହନ୍ତି ଏମନ୍ତ ନୁହେଁ ଏମାନେ ପଞ୍ଚୋପାଶକ, ସର୍ବଦେଶୀୟ ବ୍ରାହ୍ମଣମାନେ ତଦ୍ରୂପ ଅଟନ୍ତି । ଏପରିସ୍ଥଳେ ‘‘ଓଡ଼ିଶାର ବ୍ରାହ୍ମଣମାନେ ମହାରାଷ୍ଟ୍ରୀୟ ବ୍ରାହ୍ମଣମାନଙ୍କପରି ଶୈବ ଶାକ୍ତ ଅଟନ୍ତି’’ ଏ ଯୁକ୍ତିର ଗୁରୁତ୍ୱ କଅଣ ? ବଙ୍ଗାଳି ବ୍ରାହ୍ମଣମାନେ କି ଶୈବ ଶାକ୍ତ ନୁହନ୍ତି ? ବରଂ ଓଡ଼ିଆ ଓ ବଙ୍ଗାଳି ବ୍ରାହ୍ମଣମାନଙ୍କ ମଧ୍ୟରେ ଯେପରି ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କର ଶିଷ୍ୟ ସଂଖ୍ୟା ଅଧିକ, ଅନ୍ୟ ପ୍ରଦେଶର ବ୍ରାହ୍ମଣମାନଙ୍କ ମଧ୍ୟରେ ସେପରି ନାହିଁ । ସଂକ୍ଷେପରେ କହିବାକୁ ଗଲେ ମହାପ୍ରଭୁଙ୍କ ପ୍ରବର୍ତ୍ତିତ ଧର୍ମ ସମ୍ବନ୍ଧରେ ଓଡ଼ିଆ ବଙ୍ଗାଳି ଏକ ଜାତି ବୋଇଲେ ଅତ୍ୟୁକ୍ତି ହୁଏ ନାହିଁ । ଏକତା ସମ୍ପାଦକ ପକ୍ଷେ ଶ୍ରୀ ମହାପ୍ରସାଦ ଓ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପ୍ରବର୍ତ୍ତିତ ପରମାର୍ଥ ଧର୍ମ ଯେତେଦୂର କୃତକାର୍ଯ୍ୟ ହୋଇଅଛି ଭାରତରେ ଅନ୍ୟ କୌଣସି ବିଷୟ ଏପରି କୃତକାର୍ଯ୍ୟ ହେବାର ଲକ୍ଷିତ ହୁଏ ନାହିଁ । କଂଗ୍ରେସ ବୋଲ, କନଫରେନ୍‍ସ ବୋଲ ଭିନ୍ନ ଭିନ୍ନ ଜାତିର ଲୋକଙ୍କୁ ଏକସଙ୍ଗେ ଏକ ପକ୍ତିଂରେ ବସି ଅନ୍ନ ଭୋଜନ କରାଇବାର କ୍ଷମତା କାହାରି ନାହିଁ । କଥାରେ କହନ୍ତି ‘‘ବାର ଜାତି ତେର ଗୋଲା ବୈଷ୍ଣବ ହେଲେ ସବୁ ଗଲା’’ । ମହାପ୍ରଭୁ ମୁସଲମାନଙ୍କୁ ମଧ୍ୟ ସସ୍ନେହେ ସ୍ୱଧର୍ମରେ ଦୀକ୍ଷିତ କରି ଗ୍ରହଣ କରିବାକୁ କୁଣ୍ଠିତ ହୋଇ ନାହାନ୍ତି । ଏକତା ଦେଶୋନ୍ନତିର ଏକମାତ୍ର ଉପାୟ ବୋଲି ଯେଉଁମାନେ ମନେ କରନ୍ତି ସେମାନଙ୍କର ଉଚିତ ଯେ ଯହିଁରେ ପ୍ରଶସ୍ତ ଗୌରାଙ୍ଗ ଧର୍ମର ପ୍ରସାର ବୃଦ୍ଧି ହୁଏ ତାହା କରନ୍ତୁ, ନତୁବା ‘‘ଖିରାମିଳାନି ପ୍ରାୟ’’ ବାହ୍ୟ ମିଳନ କେବଳ ବିଡ଼ମ୍ବନା । ଏବେ ପାଠକେ ଦେଖନ୍ତୁ ବଙ୍ଗଳା ସଙ୍ଗେ ଆମ୍ଭମାନଙ୍କର ଏପରି ହୃଦୟଗତ ମେଳ ଆମ୍ଭମାନଙ୍କର ଭାଙ୍ଗିବା ଉଚିତ କି ? ଏବେ ମଧ୍ୟପ୍ରଦେଶର ଧର୍ମ ସମ୍ବନ୍ଧେ ଅତି ସଂକ୍ଷେପରେ ଦୁଇ ଏକ କଥା ଉଲ୍ଲେଖ କରାଯାଉଅଛି । ସେ ପ୍ରଦେଶରେ ଅଧିବାସୀମାନଙ୍କ ମଧ୍ୟରେ ଶତକଡ଼ା ୭୫.୩୬ ହିନ୍ଦୁ ଅବଶିଷ୍ଟ ପ୍ରାୟ ସମସ୍ତେ ଆଦିମନିବାସୀ ଭଲ ଗଣ୍ଡ ପ୍ରଭୃତି ଜାତି ଅଟନ୍ତି । ହିନ୍ଦୁମାନଙ୍କ ମଧ୍ୟରେ ସୁଦ୍ଧା ଅନ୍ୟ ଆଦିମନିବାସିମାନଙ୍କର ଧର୍ମ ଭାବ କେତେକାଂଶରେ ଆଧିପତ୍ୟ ଯୁକ୍ତରିଅଛି । ମଧ୍ୟପ୍ରଦେଶର ଧର୍ମ ସମ୍ପ୍ରଦାୟ ମଧ୍ୟରେ ସାତନାମୀ; କବୀରପନ୍ଥୀ, କୁମ୍ଭିପଟିଆ, ନାନକପନ୍ଥୀ, ସିଂହପନ୍ଥୀ, ଧାମୀ ପ୍ରଭୃତିର ସଂଖ୍ୟା ଅଳ୍ପ ନୁହେଁ । ସୁତରାଂ ଧର୍ମ ସମ୍ବନ୍ଧରେ ମଧ୍ୟପ୍ରଦେଶ ଓ ଓଡ଼ିଶାର ମେଳ କେତେଦୂର ତାହା ପାଠକେ ଭାଳି ଦେଖନ୍ତୁ ।

 

ପଞ୍ଚମ ଯୁକ୍ତି ଆଚାର ଓ ବ୍ୟବହାର । –ଏ ସମ୍ବନ୍ଧରେ ଲେଖକ କହନ୍ତି କି ଓଡ଼ିଆମାନଙ୍କର ‘‘ସାମାଜିକ ରୀତିନୀତି ଏବଂ ଆଚାର ବ୍ୟବହାରରେ କିଛି ବିଶେଷ ପରିବର୍ତ୍ତନ ଘଟିବା ସହଜ ନୁହେଁ କି ବାଞ୍ଛନୀୟ ନୁହେଁ ।’’ ଏକପ୍ରକାର ହଠିଆଲୋକେ ଅଛନ୍ତି ସେମାନେ ଆପଣାର ହଠ ରକ୍ଷାପାଇଁ ଯାହା ଇଚ୍ଛା ତାହା କରିପାରନ୍ତି ଓ ଯାହା ଇଚ୍ଛା ତାହା କହିପାରନ୍ତି । ଜିଦ୍‌ ରକ୍ଷା କ୍ଷେତ୍ରରେ ସେମାନଙ୍କର କାଣ୍ଡଜ୍ଞାନ ରହେ ନାହିଁ । ଲେଖକ ବୋଧହୁଏ ସେହି ଶ୍ରେଣୀର ଲୋକ । ଭଲ ଲେଖକ ! ଆପଣ ମୁଣ୍ଡରେ ହାତ ବୁଲାଇ ଦେଖି କହନ୍ତୁ ତ ବଙ୍ଗଳା ସଙ୍ଗେ ରହି ଆପଣଙ୍କର ନିଜର ଉତ୍ତମାଙ୍ଗର କିଛି ପରିବର୍ତ୍ତନ ହୋଇଅଛି କି ନା ? ଆଉ ତୁମ୍ଭେ ଯେ କହୁଅଛ କି ‘‘ପରିବର୍ତ୍ତନ ବାଞ୍ଛନୀୟ ନୁହେଁ’’ ତୁମ୍ଭର ଏ କଥାନୁସାରେ ଚଳିଲେ ପୁଣି ମୁଣ୍ଡର ଦୀର୍ଘକେଶରେ (ଚୁଟିରେ) ଘୃତ ଲଗାଇ ନିକଟସ୍ଥ ଲୋକଙ୍କୁ ଅସହ୍ୟ ଦୁର୍ଗନ୍ଧରେ ଆପ୍ୟାୟିତ କରିବାକୁ ହେବ କି ? ଆପଣା ଆପଣା ଜନନୀ, ଭଗିନୀ, ଭାର୍ଯ୍ୟା, କନ୍ୟା ପ୍ରଭୃତିଙ୍କୁ ସହର ମଧ୍ୟରେ ଆପଣା ନିକଟରେ ନ ରଖି ମୋଫସଲରେ ଥୋଇ ଆସି ପାରିବାରିକ ସୁନିର୍ମଳ ସୁଖରୁ ବଞ୍ଚିତ ହୋଇ ନରକରେ ବୁଡ଼ି ଧନ ପ୍ରାଣରେ ମାରା ପଡ଼ିବାକୁ ହେବ ନାହିଁ କି ? ହା ବିଚିତ୍ରାନନ୍ଦ ! ହା ନନ୍ଦକିଶୋର ! ତୁମ୍ଭେମାନେ ଏତେବେଳେ କେଉଁଆଡ଼େ ଗଲ ! ଆସି ଦେଖ ତୁମ୍ଭମାନଙ୍କର ସଯତ୍ନ ପ୍ରବର୍ତ୍ତିତ ସମାଜ ସଂଶୋଧନର ପଥରେ ଆଜ କାନକୋଳିକଣ୍ଟା ପଡ଼ୁଅଛି; ସ୍ୱର୍ଗରାଜ୍ୟରେ ଥାଇ ଖର ନିଶ୍ୱାସ ପବନରେ ଏ ଆବର୍ଜନା ଗୁଡ଼ାକୁ ଉଡ଼ାଇ ନ ଦେଲେ ଆଉ ରକ୍ଷା ନାହିଁ । କେତେ କାଳ କାନ୍ଦି କାନ୍ଦି ଦୀନା କ୍ଷୀଣା ଓଡ଼ିଶା ଜନନୀ ଏତେକାଳେ ଦଶଜଣରେ ଜଣେ ହେବାପାଇଁ ଟିକିଏ ମୁଣ୍ଡ ତୋଳୁଛନ୍ତି, ଏ ସମୟରେ ଏ ଭୂତଗୁଡ଼ାକ ପୁଣି ତାଙ୍କ ବେକରେ ଚଢ଼ି ତାଙ୍କର ମସ୍ତକକୁ ମାଡ଼ିଦେବାକୁ ବସିଅଛନ୍ତି, ଏମାନଙ୍କ ହାତରୁ ମା’ଙ୍କୁ ଶୀଘ୍ର ରକ୍ଷା କର, ଏ ଭୂତମାନଙ୍କର ଗଜାମରୁଡ଼ି ନ ହେଲେ ଅଚିରେ କଣ୍ଟକ ବୃକ୍ଷରେ ଦେଶ ପୂରି ଯିବ ।

 

ପାଠକେ ! ବର୍ତ୍ତମାନ ଦେଖାଯାଉ ଓଡ଼ିଆମାନଙ୍କର ରୀତିନୀତି ଆଚାର ବ୍ୟବହାର ବଙ୍ଗାଳିମାନଙ୍କ ସଙ୍ଗେ ଅଧିକ ମିଳେ କି ମଧ୍ୟପ୍ରଦେଶବାସୀଙ୍କ ସଙ୍ଗେ ବେଶି ମିଳେ ।

 

ଓଡ଼ିଆମାନେ ବଙ୍ଗାଳିମାନଙ୍କ ପ୍ରାୟ, ମତ୍ସ୍ୟଭୋଜୀ ମହାରାଷ୍ଟ୍ରୀୟ ଓ ହିନ୍ଦୁସ୍ଥାନୀମାନେ ମତ୍ସ୍ୟଭୋଜିମାନଙ୍କୁ ବଡ଼ ଘୃଣା କରନ୍ତି । ମଧ୍ୟପ୍ରଦେଶ ସଙ୍ଗେ ମିଶି ଆମ୍ଭେମାନେ କି ହାଡ଼ି ପାଣ ପରି ଘୃଣିତ ହେବା ? ବଙ୍ଗାଳି ଓ ଓଡ଼ିଆମାନେ ଉଷୁନା ଚାଉଳର ଭାତ ଖାନ୍ତି, ମଧ୍ୟପ୍ରଦେଶୀୟ ଲୋକେ ଉଷୁନାଚାଉଳର ଭାତକୁ ‘‘ଝୁଟା’’ ବୋଲି କହନ୍ତି । ବଙ୍ଗାଳି ଓ ଓଡ଼ିଆମାନେ ପ୍ରତିଦିନ ତେଲ ଲଗାଇ ସ୍ନାନ କରନ୍ତି, ମରହଟ୍ଟା ଓ ହିନ୍ଦୁସ୍ଥାନୀମାନେ ତେଲ ଲଗାନ୍ତି ନାହିଁ କି ପ୍ରତିଦିନ ସ୍ନାନ କରନ୍ତି ନାହିଁ । କେତେକ ଛତିଶଗଡ଼ି ଲୋକେ ଝାଡ଼ା ଫେରି ଜଳଶୌଚ ହୁଅନ୍ତି ନାହିଁ । ଆମ୍ଭମାନଙ୍କର ପହରଣ ବଙ୍ଗାଳିମାନଙ୍କ ସଙ୍ଗେ ଅଧିକାଂଶରେ (ଏଣିକି ସମ୍ପୂର୍ଣ୍ଣ ରୂପେ) ମିଳେ, ହିନ୍ଦୁସ୍ଥାନୀଆଦିଙ୍କ ସଙ୍ଗେ ଆଦୌ ମିଳେ ନାହିଁ । (ଲେଖକ ନିଜେ ଯାହା କରନ୍ତୁ ନା କାହିଁକି, ତାଙ୍କଘରେ ସ୍ତ୍ରୀଲୋକମାନେ ଘାଗରା ପିନ୍ଧିବାକୁ କଦାଚ ସମ୍ମତ, ହେବେ ନାହିଁ) । ଆମ୍ଭେମାନେ ବଙ୍ଗାଳିମାନଙ୍କ ଅନୁକରଣରେ ମୁଣ୍ଡର ବାଳ କଟାଇ ଅଛୁ । ମରହଟ୍ଟାମାନଙ୍କ ସଙ୍ଗେ ମିଶିଲେ ପୁଣି ଚୁଟି ରଖିବାକୁ ହେବ ନାହିଁ ତ ? (ଲେଖକ ଟିକିଏ ଆପଣା ମୁଣ୍ଡ ଦରାଣ୍ଡି ଦେଖିବେ କି ?) । ଆମ୍ଭମାନଙ୍କର ବିବାହ ଆଦି କ୍ରିୟାକଳାପ ବଙ୍ଗାଳିମାନଙ୍କ ସଙ୍ଗେ ଅନେକ ମିଳେ କିନ୍ତୁ ମରହଟ୍ଟାମାନଙ୍କ ସଙ୍ଗେ ତାହା ମିଳେ ନାହିଁ । ଲେଖକଙ୍କ ମତରେ ଆମ୍ଭମାନଙ୍କର ଆଚାର ବ୍ୟବହାରରେ ପରିବର୍ତ୍ତନ ବାଞ୍ଛନୀୟ ନୁହେଁ । ଏମିତି ବଡ଼ ସଂକୀର୍ଣ୍ଣ, ତାଙ୍କ ଉପଦେଶ ମତେ ଚଳିଲେ ଉନ୍ନତିର ପଥ ଏକାବେଳକେ ବନ୍ଦ ହୋଇଯିବ । ମନେ କର ଆମ୍ଭମାନଙ୍କର ପ୍ରାଚୀନ ରୀତି ନୀତି ଓ ଆଚାର ବ୍ୟବହାର ଅନୁସାରେ ବ୍ରାହ୍ମଣ ତ ଦୂରର କଥା ଶୂଦ୍ରର ମଧ୍ୟ ଅସ୍ଥି ଛୁଇଁବା ଅନୁଚିତ ଯେବେ ଏତେବେଳେ ଆମ୍ଭେମାନେ ସେହି ଅନୁସାରେ ଚଳୁଁ ତେବେ ଅଗ୍ରେ କଟକର ଡାକ୍ତରୀ ସ୍କୁଲକୁ ଉଠାଇ ଦେବାର ଉଚିତ କାରଣ ସେଠାରେ ବ୍ରାହ୍ମଣ ସନ୍ତାନକୁ ସୁଦ୍ଧା ହାଡ଼ିର ପଚା ମୃତଶରୀର ଘାଣ୍ଟିବାକୁ ହୁଏ ପୁଣି ତାହା କରି ପୈତା ପରିବର୍ତ୍ତନ ପୂର୍ବକ ଗାୟତ୍ରୀ ଜପ କରିବା ଦୂରେ ଥାଉ ସ୍ନାନସୁଦ୍ଧା କରିବାର ସମୟ ଥାଏ ନାହିଁ । ଏମନ୍ତସ୍ଥଳେ ପୁରାତନ ଆଚାର ବ୍ୟବହାର କିପରି ବଜାଏ ରଖି ଚଳିବାକୁ ହେବ ତାହା ଲେଖକ ଦେଖାଇ ଦେଇ ପାରିବେ କି ? ଆହୁରି ଦେଖ ପୂର୍ବେ ବ୍ରାହ୍ମଣ ସକଳ ବର୍ଣ୍ଣର ନମସ୍କାରଣୀୟ ଥିଲେ, ରାଜାମାନେ ମଧ୍ୟ ବ୍ରାହ୍ମଣମାନଙ୍କୁ ଦେଖିଲା ମାତ୍ରକେ ଆସନରୁ ଉଠି ପ୍ରଣାମପୂର୍ବକ ଅଗ୍ରେ ବ୍ରାହ୍ମଣମାନଙ୍କୁ ଆସନରେ ବସାଇ ପଛେ ଆପେ ବସୁଥିଲେ, ଏବେ ସାହେବ ହାକିମର ବ୍ରାହ୍ମଣ ଅମଲା ହାକିମଙ୍କ ନିକଟରେ ପହୁଞ୍ଚିଲା ମାତ୍ରକେ ଆଗହୁଁ ‘‘ଗୁଡମରଣିଂ’’ କରୁଅଛନ୍ତି । ଏ ପ୍ରଥାକୁ ଲେଖକ ଉଠାଇଦେଇ ପାରିବେ କି ? ପୂର୍ବେ ବ୍ୟବସାୟ ଜାତିଗତ ଥିଲା, କରଣ ପୁଅ ତେଲ ବିକିଲେ ନିନ୍ଦନୀୟ ଓ ପତିତ ହେଉଥିଲେ ଏବେ ବ୍ରାହ୍ମଣ ମଧ୍ୟ ଅମ୍ଳାନ ବଦନରେ ଜୋତା ବିକ୍ରି କରିବାକୁ କୁଣ୍ଠିତ ନୁହନ୍ତି । ‘‘ପେଟ ପୋଷ ନାହିଁ ଦୋଷ’’ ଏ ମହା ବାକ୍ୟକୁ ଛାଡ଼ିଲେ ଏକାଳରେ ମୁହୂର୍ତ୍ତେ ଚଳିବାର କଠିନ । ପୁରାକାଳରେ ବ୍ରାହ୍ମଣମାନଙ୍କର ବୃତ୍ତି ଥିଲା ଯଯନ, ଯାଯନ, ଅଧ୍ୟୟନ ଓ ଅଧ୍ୟାପନା, ଏବେ ସେମାନେ ସେହି ବୃତ୍ତିକୁ ଆଶ୍ରାକଲେ ଖାଇବାକୁ ପାଇବେ ନାହିଁ ଲେଖକଙ୍କୁ ମଧ୍ୟ ରୋଷେଇୟା ପୁଝାରି ମିଳିବ ନାହିଁ-। କାଳର ସ୍ରୋତରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ, ତହିଁରେ ତୁମ୍ଭେ ଆମ୍ଭେ ବାଧା ଦେଇ ପାରିବା ନାହିଁ, ଦେବାକୁ ଚେଷ୍ଟା କଲେ ଖଟ୍‌ଖଟ୍ ମାତ୍ର ସାର ହେବ । ଓଡ଼ିଆମାନେ ଭକ୍ଷଣଶୀଳ ସତ୍ୟ କିନ୍ତୁ ସଂସ୍କାର ବିରୋଧୀ ନୁହନ୍ତି । ସେ ଦିନ ପାଦ୍ରି ୟଙ୍ଗସାହେବ ସମ୍ମିଳନୀରେ ଯେ ଉପଦେଶ ଦେଲେ ‘‘ତୁମ୍ଭମାନଙ୍କର ରୀତି ନୀତି ଆଚାର ବ୍ୟବହାର ମାନଙ୍କର ସଂସ୍କାର କର’’ ତହିଁର ଗଭୀରତା ଲେଖକ ମାପି ଦେଖିଅଛନ୍ତି କି ? ସେଦିନ ସମ୍ମିଳନୀରେ ଧାର୍ଯ୍ୟ ହେଲା କି ‘‘ଶିଳ୍ପାଦି ଶିକ୍ଷା କରିବା ସକାଶେ ଉପଯୁକ୍ତ ଯୁବକମାନଙ୍କୁ ବିଦେଶକୁ ପଠାଇବା ପକ୍ଷେ ଯତ୍ନ କରାଯିବ’’ । ବର୍ତ୍ତମାନ ମନେ କର କାଚ ଦ୍ରବ୍ୟ ବିଦେଶରୁ ଆସି ଏଠାରେ ବିକ୍ରି ହୋଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବିଦେଶକୁ ଚାଲି ଯାଉଅଛି । ଯେବେ ଏଦେଶରେ କାଚର କାରଖାନା ହୁଏ ତେବେ ଦେଶର ଟଙ୍କା ଦେଶରେ ରହିଯିବ । କାଚ ପ୍ରସ୍ତୁତ କରିବାର କାର୍ଯ୍ୟ ଶିଖିବା ପାଇଁକି କେତେଜଣ ଯୋଗ୍ୟ ଯୁବକଙ୍କୁ ଜାପାନ ପଠାଇବାର ଅତି ପ୍ରୟୋଜନ, କିନ୍ତୁ ପ୍ରାଚୀନପ୍ରଥା ଅନୁସାରେ ବିଦେଶକୁ ଗଲେ ଜାତି ଯିବ, ଅତଏବ ସେ ଅନୁସାରେ ଚଳିଲେ ଏ ଦେଶରେ କାଚ କାରଖାନାର ସମସ୍ତ ସୁବିଧା ଥିଲେହେଁ କେବଳ ଏହି ବାଧା ଯୋଗୁଁ ତାହା ହୋଇ ପାରିବ ନାହିଁ । ବଙ୍ଗାଳିମାନଙ୍କ ସଙ୍ଗେ ରହିବାରୁ ଆମ୍ଭମାନଙ୍କର ଯେବେ କିଛି ପରିବର୍ତ୍ତନ ହୋଇଥାଏ ତେବେ ତାହା ଭଲ ଭିନ୍ନ ମନ୍ଦ ନୁହେଁ, ଏକା ବଙ୍ଗାଳି କାହିଁକି ଉନ୍ନତ ଇଂରେଜ ଜାତି ସଙ୍ଗେ ଘୃଷାଘଷି ହେବାରୁ ଆମ୍ଭମାନଙ୍କର ଅନେକ କୁସଂସ୍କାର ଅପନୀତ ହୋଇଅଛି ଓ ମଧ୍ୟ ଧୀରେ ଧୀରେ ହେଉଅଛି । ହେଉ ତାହା ହେବା ବାଞ୍ଛନୀୟ କେବଳ ପରିବର୍ତ୍ତନଟି ସୁପରିବର୍ତ୍ତନ ହେଲେ ରକ୍ଷା । ‘‘ସୁ’’ ସଙ୍ଗେ ‘‘କୁ’’ ମଧ୍ୟ ଆମ୍ଭମାନଙ୍କ ସମାଜରେ ପ୍ରବେଶ ହେଉଅଛି ସତ୍ୟ କିନ୍ତୁ ‘‘କୁ’’ ମାନଙ୍କୁ ବାଛି ପକାଇବାର ଉଚିତ । ଆମ୍ଭମାନଙ୍କର ସମାଜର ‘‘ସୁ’’ କୁ ରଖି ‘‘କୁ’’ କୁ ଛାଡ଼ିବା ଓ ବିଦେଶୀୟମାନଙ୍କଠାରୁ ‘‘କୁ’’ ଛାଡ଼ି ‘‘ସୁ’’ କୁ ଆଣି ଆମ୍ଭମାନଙ୍କର ସାମାଜିକ ଆଚାର ବ୍ୟବହାର ସଙ୍ଗେ ମିଶାଇବାର ନାମ ‘‘ସମାଜସଂସ୍କାର’’ ଏହା ହିଁ ପାଦ୍ରି ୟଙ୍ଗ୍‍ ସାହେବଙ୍କର ଉପଦେଶର ଲକ୍ଷ୍ୟ । ପାଦ୍ରି କହୁନାହାନ୍ତି ଯେ ଇଂରେଜମାନଙ୍କଠାରୁ ଓଡ଼ିଆମାନଙ୍କ ଉପରେ ସୁରାପାନ ଦୋଷ ଉପକ୍ରମ କରୁ । ଏହିପରି ସଂସ୍କାର ହିଁ ଉତ୍କଳ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଏହା ହିଁ ଦେଶୋନ୍ନତିର ଉପାୟ । ସେଦିନ ସମ୍ମିଳନୀ ସଭାରେ ଶ୍ରୀଯୁକ୍ତ ବାବୁ ବିଶ୍ୱନାଥ କର ଏହାର ଆଭାସ ଦେଇଥିଲେ, ଶ୍ରୀଯୁକ୍ତ ବାବୁ ମଧୁସୂଦନ ଦାସଙ୍କର ବକ୍ତୃତାରେ ମଧ୍ୟ ଏହି କଥା ପ୍ରଚ୍ଛନ୍ନ ଭାବରେ ନିହିତ ଥିଲା, ପୁଣି ସଭାପତିଙ୍କର ବକ୍ତୃତାରତ ଅସ୍ଥିମଜ୍ଜା ମଧ୍ୟରେ ଏହି କଥା । ଲେଖକଙ୍କର ଉପଦେଶ ମତେ ଯେବେ ସମସ୍ତେ କଠୋର ରକ୍ଷଣଶୀଳ ହୁଅନ୍ତି ତେବେ ଏ ସଂସ୍କାର ହେବାର ସମ୍ଭବ କି? ଲେଖକ କହନ୍ତି ‘‘ମହାରାଷ୍ଟ୍ରୀୟମାନଙ୍କ ଜାତୀୟ ରୀତିରେ ଉନ୍ନତିସାଧନ ଓଡ଼ିଆମାନଙ୍କ ପକ୍ଷେ ହିତକର ଏବଂ ସୁଖକର ହୋଇପାରେ । ‘‘ପାରେ’’ ଏହି ଶବ୍ଦ ପ୍ରୟୋଗରୁ ଜଣା ପଡ଼ୁଅଛି ଏ ବିଷୟରେ ତାଙ୍କର ମତ ନିଶ୍ଚିତ ନୁହେଁ । ପୂର୍ବେ କହିଅଛୁଁ ନିଶ୍ଚିତକୁ ଛାଡ଼ି ଅନିଶ୍ଚିତ କାଳ୍ପନିକ ବସ୍ତୁର ଅନୁବର୍ତ୍ତୀ ହେବା ବାତୁଳତା । ପୁନଶ୍ଚ ‘‘ହିତକର’’ ଓ ‘‘ସୁଖକର’’ ହେବ କିପରି ? ମରହଟ୍ଟାମାନେ ତ ଆମ୍ଭେ ମାଛୁଆମାନଙ୍କୁ ହାଡ଼ି ପାଣ ପରି ଘୃଣା କରନ୍ତି । ସେମାନଙ୍କ ରୀତିରେ ଆମ୍ଭମାନଙ୍କର ଉନ୍ନତି ‘‘ହିତକର’’ ଏବଂ ‘‘ସୁଖକର’’ ହେବ କିପରି-? ଏପରି ଲେଖକ ବୋଧହୁଏ ବ୍ରାହ୍ମମାନଙ୍କୁ ଡରନ୍ତି ତେଣୁ ତାଙ୍କର ଫୁସୁଲାଇତ ପ୍ରସ୍ତାବମାନଙ୍କରେ ଓଡ଼ିଶାବାସୀ ବ୍ରାହ୍ମମାନଙ୍କର ବଙ୍ଗଳାରେ ବୈବାହିକ ସମ୍ବନ୍ଧ ବଜାଏ ରହିପାରିବା ପକ୍ଷେ ସେ ଆଶ୍ୱାସନା ଦେଇଅଛନ୍ତି । ମାତ୍ର ଓଡ଼ିଶାରେ ଯେ ଅନେକ କେରା ବଙ୍ଗାଳି ଅଛନ୍ତି (ଏମାନଙ୍କର ସଖ୍ୟା ବ୍ରାହ୍ମମାନଙ୍କଠାରୁ ଅନେକ ଅଧିକ) ସେମାନଙ୍କୁ ପଦେ ‘‘ମା ଭୈ’’ ବାକ୍ୟ କହି ନାହାନ୍ତି । ଫଳତଃ ଦେଶ ଯେ କୌଣସି ଶାସନାଧୀନରେ ରହୁନା କାହିଁକି ଏ ପକ୍ଷେ କୌଣସି ଭୟ ନାହିଁ । ଏବେ ଦେଖାଯାଉଅଛି ଯେ ରୀତି ନୀତି ଆଚାର ବ୍ୟବହାର ଘେନି ଲେଖକ ଯେ ଅସାର ଯୁକ୍ତିମାନ ଦେଖାଇଅଛନ୍ତି ସେ ସମସ୍ତ ମଧ୍ୟ ଠାକୁ ନାହିଁ ।

 

ଷଷ୍ଠ ଯୁକ୍ତିଶିକ୍ଷା–ଲେଖକ କହନ୍ତି ବଙ୍ଗଳାରେ କଲେଜ ୪୫ ଓଡ଼ିଶାରେ ୧ ମଧ୍ୟପ୍ରଦେଶରେ ୩ । ୧୯୦୧–୧୯୦୨ ରେ ବି.ଏ ପାସ କରିଥିଲେ ବଙ୍ଗଳାରୁ ୪୦୯ ଓଡ଼ିଶାରୁ ୬ ମଧ୍ୟପ୍ରଦେଶରୁ ୩୬, ଅତଏବ ତାଙ୍କ ବିବେଚନାରେ ବଙ୍ଗାଳି ପିଲାମାନଙ୍କର ଅନେକ ସୁବିଧା ସୁଯୋଗ ଥିବାରୁ ଓଡ଼ିଆ ପିଲାମାନେ ତାଙ୍କ ସଙ୍ଗେ ପ୍ରତିଯୋଗିତାରେ ପାରୁ ନାହାନ୍ତି । ଓଡ଼ିଶା ଯେବେ ମଧ୍ୟପ୍ରଦେଶ ସଙ୍ଗେ ଏକ ଶାସନାଧୀନରେ ରହେ ତେବେ (ସେ ପ୍ରଦେଶବାସୀ ଛାତ୍ରମାନଙ୍କର ସୁଯୋଗ ସୁବିଧା ଅଳ୍ପ ଥିବାରୁ) ଓଡ଼ିଆ ଗ୍ରାଜୁଏଟ (ଉପାଧିଧାରୀ) ଙ୍କ ସଂଖ୍ୟା ହୁ ହୁ ବଢ଼ିଯିବ । ଏବେ ଦେଖାଯାଉ ଏ ଯୁକ୍ତିରେ ସାର କେତେ ଅଛି । ଲେଖକଙ୍କର କଥିତମତେ ବଙ୍ଗଳାର ପ୍ରତି କଲେଜରୁ ୧୯୦୧–୧୯୦୨ ସାଲରେ = ୯, ମଧ୍ୟପ୍ରଦେଶର କଲେଜ ପିଛା = ୧୨ ଓଡ଼ିଶାର = ୬ ହାରାହାରି ବି.ଏ, ପାସ କରିଥିଲେ । ସଂଖ୍ୟା ଉପରେ ଯେବେ ସୁଯୋଗ ସୁବିଧା ବିଷୟ ଅନୁମାନ କରାଯାଏ ତେବେ ଦେଖା ଯାଉଅଛି ବଙ୍ଗଳା ଅପେକ୍ଷା ମଧ୍ୟପ୍ରଦେଶବାସୀ ଛାତ୍ରମାନଙ୍କର ସୁଯୋଗ ସୁବିଧା ଓଡ଼ିଆମାନଙ୍କଠାରୁ ଆହୁରି ଅଧିକ ଅଟେ, ସୁତରାଂ ସେମାନଙ୍କ ସଙ୍ଗେ ପ୍ରତିଯୋଗିତାରେ ଜୟୀ ହେବା, ଓଡ଼ିଆ ପିଲାଙ୍କ ପକ୍ଷେ ଏକାବେଳକେ ଅସମ୍ଭବ । ଗତ ବି.ଏ ପରୀକ୍ଷାର ଫଳପ୍ରତି ଦୃଷ୍ଟି କଲେ ପାଠକେ ଦେଖିବେ ଯେ ମଧ୍ୟ ପ୍ରଦେଶରୁ ୧୪ ଜଣ ପାସ୍‍ କରିଅଛନ୍ତି କିନ୍ତୁ ଓଡ଼ିଶା କପାଳରେ ଖଡ଼ିପଡ଼ି ନାହିଁ । ସୁତରାଂ ବଙ୍ଗାଳିମାନଙ୍କଠାରୁ ମଧ୍ୟପ୍ରଦେଶବାସୀ ପିଲାମାନଙ୍କ ସଙ୍ଗେ ଓଡ଼ିଆ ଛାତ୍ରମାନଙ୍କର ପ୍ରତିଯୋଗିତା କରିବା ଯେ ସହଜ ବ୍ୟାପାର ଏହା କଦାପି ନୁହେଁ । କଥାରେ କହନ୍ତି ‘‘ନ ଦେଖିଲା ଓଉ ଛ’ଫଡ଼ା’’ ଲେଖକ ମଧ୍ୟପ୍ରଦେଶବାସୀ ପିଲାମାନଙ୍କର ବୁଦ୍ଧିବୃତ୍ତି ସମ୍ୟକରୂପେ ଦେଖି ନାହାନ୍ତି ତେଣୁ ମନେ କରିଅଛନ୍ତି ସେମାନେ ହୁଣ୍ଡା ମୂର୍ଖ ସୁତରାଂ ଓଡ଼ିଆ ପିଲାଏ ତାଙ୍କୁ ସହଜରେ ବଳିପଡ଼ିବେ । ଆଉ ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ସୁବିଧା ସୁଯୋଗ ଅଧିକ ହେବାର ଆଶା କଅଣ ? ତାହା ହେଲେ ବି.ଏ ପରୀକ୍ଷାର ପାଠ୍ୟପୁସ୍ତକମାନ କି କମିଯିବ ? ଏପରି କମିଯିବା କି ବାଞ୍ଛନୀୟ ? ଆଉ ସେ ଯେ କହନ୍ତି ଓଡ଼ିଶାର ଏକମାତ୍ର କଲେଜକୁ ଇଣ୍ଡିୟାନ ସର୍ବିସ୍‍ର ଜଣେ ପ୍ରିନ୍ସିପାଲ୍‍ ଏ ପର୍ଯ୍ୟନ୍ତ ଦିଆଯାଉ ନାହିଁ । ମଧ୍ୟପ୍ରଦେଶ ସଙ୍ଗେ ମିଶିଲାକ୍ଷଣି କି ଦିଆଯିବ ? ଆଉ ଏପରି ଜଣେ ପ୍ରିନ୍ସିପାଲ୍‍ର ଅଭାବ ଯୋଗୁଁ କି ଓଡ଼ିଆ ପିଲାଏ ବି.ଏ ପାସ କରି ପାରୁ ନାହାନ୍ତି ? ପୁଣି ଲେଖକ ଯେ କହନ୍ତି କି ‘‘ବଙ୍ଗାଳିପିଲାଏ ଅଧିକ ଛାତ୍ରବୃତ୍ତି ଘେନିଯାଉଅଛନ୍ତି ଓଡ଼ିଆ ପିଲାଏ ପାରୁ ନାହାନ୍ତି’’ ଏହା ତ ପ୍ରତିଯୋଗିତାର ଫଳ, ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ମଧ୍ୟ ଏହି ଫଳ ହେବ । ଓଡ଼ିଆ ପିଲାମାନଙ୍କର ବୃତ୍ତି ପାଇବା ପକ୍ଷେ ଶାସନ ପ୍ରଣାଳୀ ସମ୍ପର୍କୀୟ କୌଣସି ବାଧା ଅଛି କି ? ଫଳକଥା ଯେ ଯୋଗ୍ୟ ହେଲା ସେ ପାଇଲା, ଆମ୍ଭେ ଓଡ଼ିଆମାନେ ଅଯୋଗ୍ୟ–ମୂଳା ସୁତରାଂ ବକ୍ ବକ୍ କରି ଚାହିଁ ରହିବୁଁ ଏଥିରେ ବିଚିତ୍ରତା କଅଣ ? ଆମ୍ଭମାନଙ୍କର ପିଲାମାନେ ନିତାନ୍ତ ଅଳସୁଆ, ସେମାନଙ୍କର ଆତ୍ମନିର୍ଭର ନାହିଁ ଆମ୍ଭେମାନେ ମଧ୍ୟ ଉଚ୍ଚଶିକ୍ଷାର ମର୍ଯ୍ୟାଦା ବୁଝି ପାରି ନାହୁଁ, ଆମ୍ଭମାନଙ୍କର ଶିକ୍ଷାର ଉଦ୍ଦେଶ୍ୟ କେବଳ ଚାକେରି, ତେଣେ ଚାକେରିର ଦ୍ୱାର କ୍ରମେ ବନ୍ଦ ହୋଇ ଆସୁଅଛି ସୁତରାଂ ଉଚ୍ଚ ଶିକ୍ଷା ପକ୍ଷେ ଆମ୍ଭମାନଙ୍କର ମଧ୍ୟ ଉତ୍ସାହ କମି ଆସୁଅଛି । ପୁଣି ଆମ୍ଭେମାନେ ପିଲାମାନଙ୍କୁ ତାଲିମ କରିବାକୁ ଜାଣୁ ନାହିଁ ଓ ତାହା ଯେ ଜୀବନର ଗୋଟିଏ ପ୍ରଧାନ କାର୍ଯ୍ୟ ତାହା ଆମ୍ଭେମାନେ ଉପଲବ୍ଧି ପର୍ଯ୍ୟନ୍ତ କରି ପାରୁଁ ନା । ଆମ୍ଭମାନଙ୍କର ସ୍ତ୍ରୀମାନେ ପ୍ରାୟ ସମସ୍ତେ ଅଶିକ୍ଷିତା, ସେ ଯୋଗୁଁ ୟୁରୋପୀୟ ରମଣୀମାନେ ଆପଣା ଆପଣା ସନ୍ତାନମାନଙ୍କୁ ଶିଶୁକାଳରୁ ଯେପରି ଶିକ୍ଷା ଦିଅନ୍ତି ଆମ୍ଭମାନଙ୍କ ଦେଶରେ ସେପରି ସମ୍ଭାବନା ନାହିଁ । ବଙ୍ଗାଳୀମାନଙ୍କ ମଧ୍ୟରେ ଅନେକସ୍ଥଳେ ଶିକ୍ଷିତା ନାରୀମାନେ ଆପଣା ଆପଣା ପିଲାମାନଙ୍କୁ ଶିକ୍ଷା ଦେଇଥାନ୍ତି । ଅତି ଶୈଶବାବସ୍ଥାରୁ ଯାହା ଶିକ୍ଷା ଦିଆଯାଏ ପୁଣି ସେ ଶିକ୍ଷା ଯେବେ ଜନନୀ ଦିଅନ୍ତି ତେବେ ତାହା ଚିରକାଳ ମନରେ ରହିଯାଏ । କଥାରେ କହନ୍ତି ‘ଯାହା ନାହିଁ ବାଳକାଳେ ତାହା ନାହିଁ କାଳେ କାଳେ । ପୁଣି ଆମ୍ଭମାନଙ୍କର ପିଲାମାନେ ଅବାଧ୍ୟ, ଅଳସୁଆ, ଓ ପରିଶ୍ରମକାତର, ଏହି ସବୁ ଓ ଅନ୍ୟାନ୍ୟ କାରଣରୁ ଆମ୍ଭମାନଙ୍କର ବାଳକମାନେ ଶିକ୍ଷା ବିଷୟରେ ବଙ୍ଗାଳୀ ପ୍ରଭୃତି ଜାତୀୟ ପିଲାମାନଙ୍କ ପଛରେ ପଡ଼ି ରହି ଅଛନ୍ତି, ନତୁବା ଶାସନ ପ୍ରଣାଳୀ ତହିଁର କାରଣ ନୁହେଁ । ଲେଖକ ଆହୁରି ମଧ୍ୟ କହି ଅଛନ୍ତି ଯେ ‘‘ବଙ୍ଗଳା ସହିତ ରହି ଓଡ଼ିଶା କି ଅନୁପାତରେ ଶିକ୍ଷା ସମ୍ବନ୍ଧେ ଗଭର୍ଣ୍ଣମେଣ୍ଟ୍‍ଙ୍କ ସାହାଯ୍ୟ ପାଉଅଛି ଏବଂ ମଧ୍ୟପ୍ରଦେଶ ସଙ୍ଗେ ଗଲେ କେତେ ପାଇ ପାରେ’’ ଆମ୍ଭେମାନେ ଅତ୍ୟନ୍ତ ପରମୁଖାପେକ୍ଷୀ ଆତ୍ମନିର୍ଭର ଆମ୍ଭମାନଙ୍କର ଆଦୌ ନାହିଁ, ସକଳ କାର୍ଯ୍ୟରେ ଆମ୍ଭମାନେ ଭିକ୍ଷା ଝୋଲି ନେଇ ଉପସ୍ଥିତ ହେଉଁ, ଏହିଯୋଗୁଁ ଆମ୍ଭମାନଙ୍କର କିଛି ହେଉ ନାହିଁ । ପରନ୍ତୁ ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ଆମ୍ଭେମାନେ ଯେ କି ନିଧି ଲାଭ କରିବୁଁ ତାହା ଲେଖକ ଦେଖାଇ ଦେଇ ନାହାନ୍ତି ।

 

୭ମ ବନ୍ଦୋବସ୍ତ–ଲେଖକ କହନ୍ତି ବଙ୍ଗଳାରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳିତ, ଓଡ଼ିଶା ଓ ମଧ୍ୟପ୍ରଦେଶର ବନ୍ଦୋବସ୍ତ ମିୟାଦି, ଅତଏବ ଓଡ଼ିଶା ମଧ୍ୟପ୍ରଦେଶ ସଙ୍ଗେ ମିଶିବା ସୁବିଧା ଜନକ-। ଏଥକୁ ଓଡ଼ିଶାର ବନ୍ଦୋବସ୍ତ ଚିରସ୍ଥାୟୀ ନ ହେଲେ ହେଁ ତହିଁର ମିଆଦ ବ୩୦ର୍ଷ କିନ୍ତୁ ମଧ୍ୟପ୍ରଦେଶର ବନ୍ଦୋବସ୍ତ ଦଶସାଲ । ବନ୍ଦୋବସ୍ତର ହେଙ୍ଗାମା ଯେ ନିତାନ୍ତ ବିରକ୍ତ ଜନକ ତାହା ଭୁକ୍ତଭୋଗୀ ମାତ୍ରେ ଜାଣନ୍ତି । ପୁଣି ଓଡ଼ିଶା ଅପେକ୍ଷା ମଧ୍ୟପ୍ରଦେଶରେ ଖଜଣାର ଦର ଅଧିକ ଅଥଚ ଭୂମି ତେଡ଼େ ଉର୍ବରା ନୁହେ ସୁତରାଂ ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ଉକ୍ତ ଦେଶବାସୀ ଓଡ଼ିଶାର ଉଦବୃତ୍ତ ରାଜସ୍ୱର ଫଳଭୋଗୀ ହେବେ । ପୁଣି ମଧ୍ୟପ୍ରଦେଶର ଅନୁପାତରେ ଯେବେ ଓଡ଼ିଶାରେ କର ଧାର୍ଯ୍ୟ ହୁଏ ତାହା ହେଲେ ସର୍ବନାଶ । ଓଡ଼ିଶା ମଧ୍ୟ ସମ୍ପୂର୍ଣ୍ଣରୂପେ ମିଆଦି ବନ୍ଦୋବସ୍ତି ପ୍ରଦେଶ ନୁହେଁ, ଏଠାରେ ମଧ୍ୟ ଆଳି, କନିକା, କୁଜଙ୍ଗ ପ୍ରଭୃତି ଅନେକ ଚିରସ୍ଥାୟୀ ବନ୍ଦୋବସ୍ତ ମାହାଲ ଅଛି । ଗଡ଼ଜାତମାନଙ୍କରେ ତ ବନ୍ଦୋବସ୍ତ ଆଇନ ଆଦୌ ଚଳେ ନାହିଁ । ଲେଖକଙ୍କର କଥିତମତେ ଯେବେ ଚିରସ୍ଥାୟୀ ବନ୍ଦୋବସ୍ତ ମାହାଲ ନିବାସୀମାନେ ଧନଧାନ୍ୟର ଅଧିକାରୀ ହୋଇ ଅଧିକତର ସୁଖ ଓ ସୁବିଧା ଭୋଗ କରି ମିଆଦି ବନ୍ଦୋବସ୍ତ ମାହାଲବାସୀମାନଙ୍କଠାରୁ ଅଧିକ ଉନ୍ନତ ହୁଅନ୍ତି ତେବେ ଓଡ଼ିଶାର ଚିରସ୍ଥାୟୀ ବନ୍ଦୋବସ୍ତ ମାହାଲମାନଙ୍କରେ ସେପରି ଘଟୁ ନାହିଁ କାହିଁକି ? ଯାହା ଚକ୍ଷୁରେ ଦେଖାଯାଉଅଛି ତହିଁରେ ବିଶ୍ୱାସ କରିବାର ଉଚିତ କି ଲେଖକଙ୍କର ସ୍ୱାର୍ଥସିଦ୍ଧି ନିମିତ୍ତ ଲୋକଙ୍କୁ ଫୁସଲଇବା ଅଭିପ୍ରାୟରେ କଥିତ ସ୍ତୋକ ବାକ୍ୟ ଉପରେ ନିର୍ଭର କରିବା ବିଧେୟ ତାହା ପାଠକ ବିଚାରକରି ଦେଖନ୍ତୁ ।

 

୮ମ ରେଳପଥ–କୌଣସି ଅନୁନ୍ନତ ପ୍ରଦେଶ କୌଣସି ଉନ୍ନତ ପ୍ରଦେଶ ସଙ୍ଗେ ରେଳଦ୍ୱାରା ଯୁକ୍ତ ହେଲେ ଯେ ଉନ୍ନତିଲାଭ କରିପାରେ ଏହା ଲେଖକ ସ୍ୱୀକାର କରିବାକୁ ଅନିଚ୍ଛୁକ, ତେଣୁ କଲିକତା ଓ ମାନ୍ଦ୍ରାଜ ସଙ୍ଗେ ରେଳଦ୍ୱାରା ଯୁକ୍ତ ହେବାରେ ଓଡ଼ିଶାର, ତାଙ୍କ ମତରେ; କୌଣସି ଉପକାର ନାହିଁ । ଏ ମହାତ୍ମା ଏତେଦିନ କେଉଁଠାରେ ଲୁଚି ରହିଥିଲେ କେଜାଣି । ଅଳ୍ପଦିନ ତଳେ ଯେତେବେଳେ ବଙ୍ଗଳାର ଛୋଟଲାଟ ସର୍‍ ଷ୍ଟୁଆର୍ଟବେଲି ଏ ନଗରକୁ ଶୁଭାଗମନ କରିଥିଲେ ତେତେବେଳେ ଏଠାରୁ ଯେତେ ଯେତେ ଅଭିନନ୍ଦନପତ୍ର ତାଙ୍କୁ ପ୍ରଦତ୍ତ ହୋଇଥିଲା ସେ ସମସ୍ତରେ ରେଲୱେ ପାଇଁକି ପ୍ରାର୍ଥନା ହୋଇଥିଲା, ପୁଣି ସ୍ଥାନେ ସ୍ଥାନେ ଯେ ଦେହୁଡ଼ିମାନ ନିର୍ମିତ ହୋଇଥିଲା ସେମାନଙ୍କ ଉପରେ ସୁଦ୍ଧା ‘‘Orissa wants railway’’‘ ‘ଓଡ଼ିଶା ରେଳପ୍ରାର୍ଥୀ’’ ବୋଲି ଲେଖା ହୋଇଥିଲା । ଲାଟସାହେବ ମହୋଦୟ ଉତ୍କଳ ସଭାର ଅଭିନନ୍ଦନ ପତ୍ରର ଉତ୍ତରରେ ଏ ବିଷୟର ଉଲ୍ଲେଖ କରି ଏହି କଟକ ନଗରର କିଲ୍ଲା ପଡ଼ିଆରେ ନିର୍ମିତ ଦରବାର ଘରେ କହିଥିଲେ କି ସେ ମଧ୍ୟ ଓଡ଼ିଶାରେ ରେଲବାଟର ଅଭାବ ଉପଲବ୍ଧି କରିଥିଲେ । ସେ କାଳରେ ଲେଖକଙ୍କର ଜନ୍ମ ହୋଇଥିଲା କି ନାହିଁ ତାହା ସେ ଜାଣନ୍ତି । ଯେବେ ହୋଇଥାଏ ତେବେ ତାଙ୍କର ଏ ଉଦାର ମତକୁ ସେ ସେକାଳରେ ପ୍ରକାଶ ନ କରି ବଡ଼ ଭୁଲ କରିଅଛନ୍ତି । ଓଡ଼ିଶାର ରାଜଧାନୀ ରେଳଯୋଗେ କଲିକତାର ନିକଟ ହେବାରୁ ଗଭର୍ଣ୍ଣମେଣ୍ଟ୍‍ଙ୍କ ଠାରୁ ଯେ କଅଣ ଦୃଷ୍ଟି ଓ ଯତ୍ନଲାଭ କରିପାରିବ ତାହା ସେ ବୁଝି ପାରୁ ନାହାନ୍ତି । ବୁଝି ନ ପାରିବା ବିଚିତ୍ର ନୁହେଁ, ତାହା ଗଭର୍ଣ୍ଣମେଣ୍ଟ୍‍ଙ୍କର କାର୍ଯ୍ୟ ଗଭର୍ଣ୍ଣମେଣ୍ଟ୍ ତାହା ଭଲ ବୁଝନ୍ତି । ଆମ୍ଭେମାନେ ବଳଦିଆ ହିସାବରେ ତାଙ୍କୁ କିଛି ବୁଝାଇ ଦେଉଅଛୁଁ । ସବଡ଼ିଭିଜନ୍, ଜିଲା ଓ ବିଭାଗୀୟ ହାକିମମାନେ ଯେଉଁ ଯତ୍ନ ଓ ଦୃଷ୍ଟି ପକାଇବା ସକାଶେ ମୋଫସଲ ଭ୍ରମଣ କରନ୍ତି ଏ ସେହି ଦୃଷ୍ଟି ଓ ଯତ୍ନ, ନିକଟ ହେଲେ ଏପରି ଭ୍ରମଣର ଅଧିକ ସୁବିଧା ଓ ସମ୍ଭାବନା । ଗଭର୍ଣ୍ଣମେଣ୍ଟ୍ ବିଲାତରେ ଥାଇଁ ମଧ୍ୟ ଓଡ଼ିଶା ଶାସନ କରିପାରନ୍ତି, କିନ୍ତୁ ତାହା ସୁବିଧାଜନକ କି ? ସାଧୁଲୋକେ ଚୋର ତସ୍କର ହାତରୁ ରକ୍ଷା ପାଇବା ପାଇଁକି ଶାସକ ସମ୍ପ୍ରଦାୟଙ୍କର ନିକଟରେ ବାସ କରନ୍ତି କିନ୍ତୁ ‘‘ଚୌର ନିନ୍ଦତି ଚନ୍ଦ୍ରମା’’ ଦୁର୍ବୃତ୍ତଲୋକେ ସେଠାରୁ ଦୂରରେ ରହିବାକୁ ସୁଖପାନ୍ତି ।

 

ଲେଖକ ଓଡ଼ିଶା ସଙ୍ଗେ ମହାନଦୀ ପଥରେ ମଧ୍ୟପ୍ରଦେଶର ବାଣିଜ୍ୟ କଥା ଯେ କହିଅଛନ୍ତି ତାହା ଚାରିମାସିଆ ପୁଣି ଇଦାନୀ ମଧ୍ୟପ୍ରଦେଶ ରେଳଦ୍ୱାରା ବଙ୍ଗଳା ବମ୍ବେ ପ୍ରଭୃତି ସଙ୍ଗେ ଯୋଗ ହେବାରୁ ସେ ବାଣିଜ୍ୟ ବହୁ ପରିମାଣରେ କମିଯାଇଅଛି, ତହିଁର ଉନ୍ନତିର ଆଶା ମଧ୍ୟ ନାହିଁ । ‘‘ରେଲ୍‍ ଷ୍ଟିମର ଯୋଗୁଁ ବେପାର ବଣିଜର କୌଣସି ବାଧା ହୋଇ ନ ପାରେ’’ ବୋଲି ସେ ଯାହା କହି ଅଛନ୍ତି ତାହା ଠିକ ମାତ୍ର ମଧ୍ୟପ୍ରଦେଶରୁ ଓଡ଼ିଶାକୁ କି ମହାନଦୀ ବାଟେ ଷ୍ଟିମର ଆସେ-? ପରନ୍ତୁ ଲେଖକ କହନ୍ତି କି ଓଡ଼ିଶାର ଅନେକ କୁଲି କଲିକତାରେ ପ୍ରତିପାଳିତ ହେଉଅଛନ୍ତି ନାଗପୁରରେ ମଧ୍ୟ ଅଛନ୍ତି । ନାଗପୁରର ଓଡ଼ିଆ କୁଲିଙ୍କର ସଂଖ୍ୟା କଲିକତା ପ୍ରବାସୀ ଓଡ଼ିଆ ଅପେକ୍ଷା କେତେ ବେଶି ତାହା ସେ ଦେଖାଇ ଦେଇଥିଲେ ଭଲ ହୋଇଥାନ୍ତା । ଫଳତଃ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦରୁ ଓଡ଼ିଆମାନେ ଭାରତବର୍ଷର ପ୍ରାୟ ସକଳ ପ୍ରଦେଶକୁ ଯିବା ଆସିବା କରନ୍ତି, ସୁତରାଂ ଏ ଯୁକ୍ତି ଅନୁସାରେ ମିଶ୍ରିତ ଓଡ଼ିଶା ପଞ୍ଜାବ କି ନେପାଳ ସଙ୍ଗେ ମିଶିଲେ କେମନ୍ତ ହେବ ? ଓଡ଼ିଶା ଯେଉଁ ପ୍ରଦେଶ ସଙ୍ଗେ ମିଶୁ ନା କାହିଁକି କଲିକତାରୁ ଓଡ଼ିଆଙ୍କର ସଂଖ୍ୟା ଦିନ ଦିନ ବୃଦ୍ଧି ବିନା ହ୍ରାସ ହେବ ନାହିଁ ।

 

୯ମ “Personal administration” ପ୍ରତ୍ୟକ୍ଷଶାସନ–ଏ ସମ୍ବନ୍ଧରେ ଗଭର୍ଣ୍ଣମେଣ୍ଟ୍‍ଙ୍କର କଥାକୁ ଲେଖକ ଏକାବେଳକେ ଉଡ଼ାଇ ଦେବାକୁ ବସି ଅଛନ୍ତି, ମାତ୍ର ସେ ଯେ ଯୁକ୍ତି ଦେଖାଇ ଅଛନ୍ତି ତାକୁ ଚିପିଲେ ତହିଁରେ ସାର କିଛି ନାହିଁ । ସେ କହନ୍ତି ‘‘ଓଡ଼ିଶାର ମଧ୍ୟପ୍ରଦେଶ ସଙ୍ଗେ ମିଳନ ପ୍ରସ୍ତାବରେ ଏହି ପ୍ରତ୍ୟକ୍ଷ ଶାସନକୁ କେହି କେହି ବିପକ୍ଷ କାରଣରୂପେ ଦେଖାଇ ପାରନ୍ତି, କିନ୍ତୁ ଗଭର୍ଣ୍ଣମେଣ୍ଟ୍ କଥା ଅନୁସାରେ ଦେଖିବାକୁ ଗଲେ ବଙ୍ଗଳାର ବିଚ୍ଛିନ୍ନ ଢାକା ମୈମନସିଂହର ଅବସ୍ଥା ଓଡ଼ିଶାର ଅବସ୍ଥା ସମାନ ନୁହେଁକାରଣ ପ୍ରଥମୋକ୍ତ ସ୍ଥାନମାନଙ୍କରେ ଚିରସ୍ଥାୟୀ ବନ୍ଦୋବସ୍ତ ଏବଂ ଓଡ଼ିଶାରେ ଅସ୍ଥାୟୀ ବନ୍ଦୋବସ୍ତ । ଚିରସ୍ଥାୟୀ ବନ୍ଦୋବସ୍ତ ସ୍ଥାନମାନଙ୍କରେ ପ୍ରତ୍ୟକ୍ଷ ଶାସନ ଯେତେ ଦୂର ଆବଶ୍ୟକ ଅସ୍ଥାୟୀ ବନ୍ଦୋବସ୍ତ ରାଜ୍ୟରେ ସେତେଦୂର ନୁହେଁ ବୋଲି ନିଜେ ଗଭର୍ଣ୍ଣମେଣ୍ଟ୍ ସ୍ୱୀକାର କରିଅଛନ୍ତି । X X X ସୁତରାଂ ରାଜଧାନୀର ନିକଟବର୍ତ୍ତୀ ହୋଇ ପ୍ରତ୍ୟକ୍ଷ ଶାସନ ପାଇବା ଓଡ଼ିଶାପକ୍ଷେ ବିଶେଷ କିଛି ଆବଶ୍ୟକ ନୁହେଁ; କିମ୍ବା ସେଥିଯୋଗେ ଶାସନକାର୍ଯ୍ୟର କୌଣସି ବିଶୃଙ୍ଖଳା ହେବ ନାହିଁ ।’’

 

ବର୍ତ୍ତମାନ ଦେଖାଯାଉ ବନ୍ଦୋବସ୍ତ ସମ୍ପର୍କ ଘେନି ଓଡ଼ିଶାର ଅବସ୍ଥା ବଙ୍ଗଳା ସଙ୍ଗେ ମେଳ କେତେଦୂର ଓ ମଧ୍ୟପ୍ରଦେଶ ସଙ୍ଗେ ବା କିପରି ମେଳ । ବଙ୍ଗଳାର ବନ୍ଦୋବସ୍ତ ଚିରସ୍ଥାୟୀ, ମଧ୍ୟପ୍ରଦେଶର ବନ୍ଦୋବସ୍ତ ଅସ୍ଥାୟୀ ଓ ଦଶସାଲ କିନ୍ତୁ ଓଡ଼ିଶାରେ ଗଡ଼ଜାତ ଓ କିଲ୍ଲାଜାତ ମାହାଲମାନ ଚିରସ୍ଥାୟୀ ବନ୍ଦୋବସ୍ତ କେବଳ ମୋଗଲବନ୍ଦୀର କେତେକାଂଶରେ ମିଆଦି ବନ୍ଦୋବସ୍ତ ପ୍ରଚଳିତ ତାହର ମିୟାଦ କିନ୍ତୁ ବ୩୦ର୍ଷ । ଏପରିସ୍ଥଳେ ଓଡ଼ିଶାର ଅବସ୍ଥା କେଉଁ ପ୍ରଦେଶ ସଙ୍ଗେ ଅଧିକ ମିଶୁଅଛି ତାହା ପାଠକେ ବିଚାର କରି ଦେଖିବେ । ପୁଣି ବନ୍ଦୋବସ୍ତ ସ୍ଥାୟୀ ହେଉ ବା ଅସ୍ଥାୟୀ ହେଉ ବଙ୍ଗଳା ଏବଂ ଓଡ଼ିଶାରେ ପ୍ରଜାସ୍ୱତ୍ୱ ଆଇନ ପ୍ରଚଳିତ ଥିବାରୁ ପ୍ରଜାଙ୍କ ଦେୟ ଖଜଣା ସମ୍ବନ୍ଧରେ ଉଭୟ ପ୍ରଦେଶରେ ଏକ ନିୟମ ପ୍ରଚଳିତ ଅଛି । ଏ ଖଜଣାକୁ ଅନର୍ଥକ ବୃଦ୍ଧି କରିବାର ଉକ୍ତ ଆଇନମତେ ସହଜ ନୁହେଁ ! ଓଡ଼ିଶାର ଗତ ବନ୍ଦୋବସ୍ତରେ ପ୍ରଜା ଉପରେ ଯେ (Fair Rent) ନ୍ୟାଯ୍ୟ ଖଜଣା ଧାର୍ଯ୍ୟ ହୋଇଅଛି ତାହା ସେ ଯେଉଁ ଖଜଣା ଦେଇ ଆସୁଥିଲା ତହିଁରୁ ଏକପଇସା ବୃଦ୍ଧି ହୋଇ ନାହିଁ । କିନ୍ତୁ ମଧ୍ୟପ୍ରଦେଶର କଥା ସରି ଯାଇଅଛି, ଏକେ ଭୂମି ଅନୁର୍ବରା ତହିଁରେ ଖଜଣାର ଦର ବଡ଼ କଡ଼ା ଏପରି ପ୍ରଦେଶ ସଙ୍ଗେ ମିଶିଲେ ସଂସର୍ଗ ଦୋଷରେ ଆମ୍ଭମାନଙ୍କୁ ଯେବେ ସେହି ଅନୁପାତରେ ବର୍ଦ୍ଧିତ ଦରରେ ଖଜଣା ଦେବାକୁ ପଡ଼େ ତେବେ ସର୍ବନାଶ !!! ଯେଉଁ ଗରୀବ ପ୍ରଜାମାନେ ଖଜଣା ଦିଅନ୍ତି ଲେଖକ ସେମାନଙ୍କୁ ଏ କଥାମାନ ବୁଝାଇ ଦେଇ ସେମାନଙ୍କର ମତ ନେଇ ଦେଖନ୍ତୁ ତ ସେମାନେ କଅଣ କହନ୍ତି ? ବ୍ରିଟିଶ ଶାସନାଧୀନରେ ଆମ୍ଭେମାନେ ମହା ଶାନ୍ତି ସୁଖରେ ଅଛୁଁ, ଏପରି ଶାସନପ୍ରଣାଳୀର କେନ୍ଦ୍ରର ଯେତେ ନିକଟରେ ରହିପାରୁଁ ତେତେ ଭଲ, ଏପରି ସ୍ଥଳେ ପ୍ରତ୍ୟକ୍ଷ ଶାସନରୁ ଦୂରରେ ରହିବାକୁ ବାଞ୍ଛା କରିବା ବାତୁଳତା ଭିନ୍ନ କି ବୋଲାଯାଇପାରେ ?

 

ଦଶମକଥା ହାଇକୋର୍ଟ– ହାଇକୋର୍ଟ ବ୍ରିଟିଶ ଶାସନପ୍ରଣାଳୀର ପ୍ରଧାନଗୌରବ ଓ ଭାରତବାସୀମାନଙ୍କର ଧନ, ପ୍ରାଣ ଓ ମାନରକ୍ଷାର ପ୍ରଧାନ ଭରସା । ଲେଖକ ଏ କଥାକୁ ଅସ୍ୱୀକାର କରି ପାରି ନାହାନ୍ତି । ତଥାପି ଆପଣାର ଫୁସଲାଇବା ପ୍ରକୃତ୍ତିର ଅନୁରୋଧରେ ଲୋକଙ୍କୁ ତାଶା ମରୀଚିକା ଦେଖାଇ କହୁଅଛନ୍ତି କି ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ମଧ୍ୟ ସମୟରେ ଆମ୍ଭେମାନେ ସ୍ୱତନ୍ତ୍ର ହାଇକୋର୍ଟ ପାଇ ପାରିବୁଁ । ଭାଇ ଲେଖକ । ତୁମ୍ଭର ଫୁସୁଲାଫୁସୁଲି କଥା ତେଣେ ରଖିଦିଅ, ତୁମ୍ଭର ମିଥ୍ୟା ପ୍ରରୋଚନାରେ ଆମ୍ଭମାନଙ୍କର ଯାହା ଅଛି ତାକୁ କାହିଁକି ଛାଡ଼ିବୁଁ-? ତୁମ୍ଭ କଥାରେ ଭୁଲିଲେ ପଛକୁ ଯାହାହେଉ, ବର୍ତ୍ତମାନ ତ ହାଇକୋର୍ଟର ସୁବିଚାର ହରାଇ ବେଆଇନୀ (non–regulation) ପ୍ରଦେଶରେ ମିଶିବାକୁ ହେବ ? ଆଉ ତୁମ୍ଭେ ଯେ କହୁଛ ଓଡ଼ିଶା ମଧ୍ୟପ୍ରଦେଶ ସଙ୍ଗେ ମିଶିଲେ ମଧ୍ୟ ଆସାମ ପରି ହାଇକୋର୍ଟରୁ ବଞ୍ଚିତ ହେବ ନାହିଁ ତୁମ୍ଭେ କି ମନେକର ଯେ ଲୋକେ ଏଡ଼େ ନିର୍ବୋଧ ଯେ ତୁମ୍ଭର ଏ ଚାତୁରିକି ବୁଝି ପାରିବେ ନାହିଁ ? ଭାଳି ଦେଖ ତ ଆସାମ, ବଙ୍ଗଳା, ଗଞ୍ଜାମ, ବେରାର ଓଡ଼ିଶା ସହିତ ମଧ୍ୟପ୍ରଦେଶ ଏକମାତ୍ର ହାଇକୋର୍ଟର ଅଧୀନରେ ରହିଲେ ତହିଁର ଇଲାକା କେଡ଼େ ବଡ଼ ହୋଇଯିବ ? ଯେ ସ୍ଥଳେ ବଙ୍ଗଳାହତା ଅତି ବଡ଼ ହୋଇପଡ଼ିବାରୁ ବର୍ତ୍ତମାନ ଖାରଜ ଦାଖଲର ପ୍ରସ୍ତାବ ଚଳୁଅଛି ସେ ସ୍ଥଳେ ହାଇକୋର୍ଟର ଇଲାକାକୁ ତହୁଁ ବଳ ବୃଦ୍ଧି କରିବା ପକ୍ଷେ କେଉଁ ବୁଦ୍ଧିମାନ ଆଶା କରିପାରେ ? ଆଉ ମଧ୍ୟପ୍ରଦେଶ ପାଇଁ କି ଗୋଟିଏ ସ୍ୱତନ୍ତ୍ର ହାଇକୋର୍ଟ ସ୍ଥାପିତ ହେବା ପରା ବଡ଼ ସହଜ କଥା ? ତୁମ୍ଭର ପିଲାପରି ଅନର୍ଥକ ଅଳିରେ ଗଭର୍ଣ୍ଣମେଣ୍ଟ୍ ଏ ବହୁବ୍ୟୟ ଭାର ବହନ କରିବାକୁ ଯେ ରାଜି ହେବେ ଗଭର୍ଣ୍ଣମେଣ୍ଟ୍ ଏଡ଼େ ନିର୍ବୋଧ ନୁହନ୍ତି । ସୁତରାଂ ତୁମ୍ଭେ ଯାହା ଷୋଳଅଣା ସୁଖର ଆଶା ଦେଇ ଆପଣାର ସ୍ୱାର୍ଥସାଧନ ଅଭିସନ୍ଧିରେ ଲୋକଙ୍କୁ ଫୁସୁଲାଉଅଛ ସେ ଆଶା ଆକାଶ କୁସୁମପ୍ରାୟ ଅଳୀକ ।

 

ପାଠକେ ! ପ୍ରାର୍ଥନା ପୁସ୍ତିକାରେ ଯେଉଁ ଯୁକ୍ତିମାନ ପ୍ରଦର୍ଶିତ ହୋଇଅଛି ତହିଁର ସଂକ୍ଷେପ ସମାଲୋଚନା ଉପରେ ଦିଆଗଲା, ତହିଁରୁ ଆପଣମାନେ ଦେଖିପାରିବେ ଯେ ସେ ପୁସ୍ତିକାରେ ସାର କିଛି ନାହିଁ, କେବଳ ତହିଁର ଲେଖକ ସମ୍ଭତଃ ଆପଣାର ସ୍ୱାର୍ଥସାଧନ ରୂପ ଦୂରଭିସନ୍ଧିର ବଶବର୍ତ୍ତୀ ହୋଇ ଲୋକଙ୍କୁ ଫୁସଲାଇବାପାଇଁ ସେ ପୁସ୍ତିକା ଖଣ୍ଡିକ ଗୋପନରେ ବିତରଣ କରିଅଛନ୍ତି । ନତୁବା ଉତ୍କଳୀୟ ବିଜ୍ଞ ବା ଜନସାଧାରଣଙ୍କର ସେପରି ମତ କଦାପି ନୁହେଁ । ଅତଏବ ଆପଣାମାନେ ସେ ପ୍ରରୋଚନା ବାକ୍ୟରେ କଦାପି କର୍ଣ୍ଣପାତ କରିବେ ନାହିଁ । କଟକସ୍ଥ ଉତ୍କଳସଭାରୁ ଗତ ସିତମ୍ବର ମାସରେ ମହାମାନ୍ୟ ଭାରତ ଗଭର୍ଣ୍ଣମେଣ୍ଟ୍‍ଙ୍କ ଶ୍ରୀଛାମୁକୁ ଯେ ଆବେଦନ ପତ୍ର ପଠାଇଯାଇଥିଲା ତାହା ଉତ୍କଳୀୟ ମାନ୍ୟଗଣ୍ୟ ବୁଦ୍ଧିମନ୍ତ ଲୋକଙ୍କଦ୍ୱାରା ଲେଖା ଯାଇଥିଲା, ତହିଁରେ ଓଡ଼ିଶା ମଧ୍ୟପ୍ରଦେଶ ସଙ୍ଗେ ମିଶିବା ବିରୁଦ୍ଧରେ ଘୋର ପ୍ରତିବାଦ ହୋଇଥିଲା, ପାଠକମାନେ ସେ ଆବେଦନ ପତ୍ରପାଠ କଲେ ‘‘ପ୍ରାର୍ଥନା’’ ପୁସ୍ତିକା ଲିଖିତ କଥାମାନଙ୍କର ଅସାରତା ଉତ୍ତମରୂପେ ହୃଦୟଙ୍ଗମ କରି ପାରିବେ । ଇତିଅଳମତି ବିସ୍ତରେଣ ।

Image